ହାଡ ମଜବୁତ କରିଥାଏ ଦହି

ଦହି ଶରୀର ପାଇଁ ଖୁବ୍ ଉପକାରୀ। ଏଥିରେ ଭିଟାମିନ୍, ପ୍ରୋଟିନ୍, କ୍ୟାଲସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ପରି ପୋଷକ ତତ୍ତ୍ୱ ଭରି ରହିଛି। ଦହି ମଧ୍ୟ ଏକ ଖୁବ୍ ଭଲ ପ୍ରୋବାୟୋଟିକ୍। ଏହା ଅନ୍ତ୍ରନଳୀରେ ଭଲ ବ୍ୟାକ୍ଟେରିଆକୁ ବଢାଇବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଦହି ସେବନ ଦ୍ୱାରା ହାଡ ମଜବୁତ ରହିଥାଏ।
ଦହି ଖାଇବା ଦ୍ୱାରା କେତକ ରୋଗ ମଧ୍ୟ ଭଲ ହୋଇଥାଏ। ଦହି ଖାଇବା କିଛି ଲୋକଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। କେବଳ ସୁସ୍ଥ ଲୋକଙ୍କ ପାଇଁ ଦହି ଲାଭଦାୟକ। ଯଦି ଆପଣଙ୍କର ଲାକ୍ଟୋଜ୍ ଇନ୍ଟଲ୍ରାଣ୍ଟ ସମସ୍ୟା ରହିଛି, ତେବେ ଦହି ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହି ସମସ୍ୟା ଥିବା ଲୋକମାନେ ଦୁଗ୍ଧ ଓ ଦହି ହଜମ କରିପାରି ନଥାନ୍ତି। ତେଣୁ ଦହି ଖାଇବା ଦ୍ୱାରା ଡାଇରିଆ ବା ପେଟ ଯନ୍ତ୍ରଣା ହୋଇପାରେ।
ଆସ୍ଥମା ରୋଗୀଙ୍କ ପାଇଁ ଦହି ଖାଇବା ଆଦୌ ଠିକ୍ ନୁହେଁ। ଦହିରେ ଥିବା ଖଟାପଣ ଶ୍ୱାସରୋଗୀଙ୍କ ମ୍ୟୁକସ୍କୁ ବଢାଇପାରେ। ଆସ୍ଥମା ରୋଗୀ ଦହି ଖାଇବା ଦ୍ୱାରା ଛାତିରେ କଫ ଜମା ହୋଇପାରେ। ଫଳରେ ଶ୍ୱାସଜନିତ ସମସ୍ୟା ବଢିପାରେ। ତେଣୁ ଯଦି ଆପଣ ଶ୍ୱାସରୋଗୀ ତେବେ ନିୟମିତ ଦହି ନଖାଇ କେବେ କେବେ ଖାଇପାରିବେ।
ଦୁର୍ବଳ ପାଚନ ତନ୍ତ୍ର ଥିବା ଲୋକମାନେ ଦହିଠାରି ଦୂରେଇ ରହିବା ଆବଶ୍ୟକ। ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଥାଏ, ତେବେ ଦହି ଖାଆନ୍ତୁ ନାହିଁ। ଖାସ୍ କରି ରାତିରେ ଦହି ଆଦୌ ନୁହେଁ। କିଛି ଲୋକ ହରଡ ଡାଲି ସହ ଦହି ଖାଇଥାନ୍ତି, ଯାହା ଆଦୌ ଠିକ୍ ନୁହେଁ। ଏସିଡିଟି ରୋଗୀ ଏ ଦୁଇଟି ଯାକ ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ। ନଚେତ୍ ଏସିଡିଟି ସମସ୍ୟା ବଢିପାରେ।
Powered by Froala Editor