ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ, ପୋତଚାଳନାରେ ରୋପ୍ୟ ପାଇଲା ଭାରତ

ମଙ୍ଗଳବାର ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ତୃତୀୟ ସ୍ବର୍ଣ୍ଣ ପଦକ। ଦୀର୍ଘ ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତ। ଭାରତୀୟ ଅଶ୍ବାରୋହୀ ସୁଦୀପ୍ତି ହଜେଲା, ଦିବ୍ୟକୀର୍ତ୍ତି ସିଂହ, ଅନୁଶ ଅଗ୍ରୱାଲ ଏବଂ ହୃଦୟ ଛେଡା ଚମତ୍କାର ପ୍ରଦର୍ଶନ କରି ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତ ୨୦୯.୨୦୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ ୨୦୪.୮୮୨ ପଏଣ୍ଟ ସହ ଦ୍ବିତୀୟ ଓ ହଂକଂ ୨୦୪.୮୫୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।
ପୋତଚାଳନାରେ ନେହା ଠାକୁର ପ୍ରଥମ କରି ଭେଟି ଦେଲେ ରୋପ୍ୟ ପଦକ ଜିତିଛନ୍ତି। ଡିଙ୍ଗି ILCA-4 ମୋଟ 11 ରେସର ଏକ ପ୍ରତିଯୋଗିତା ଥିଲା। ଏଥିରେ ନେହା ମୋଟ 32 ପଏଣ୍ଟ ହାସଲ କରି ରୋପ୍ୟ ପଦକ ଜିତିଛନ୍ତି। ଚଳିଚ ସଂସ୍କରଣରେ ଏପର୍ଯ୍ୟନ୍ତ ପୋତଚାଳନାରେ କୌଣସି ପଦକ ଆସିନଥିଲା। ନେହା ପ୍ରଥମ କରି ରୌପ୍ୟ ଭେଟି ଦେଇଛନ୍ତି। ତାଙ୍କ ବିଜୟରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୋମବାର ଭାରତୀୟ ମହିଳା କ୍ରିକେଟ୍ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହାପୂର୍ବରୁ ଭାରତ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୧୪ଟି ପଦକ ହାସଲ କରି ଷଷ୍ଠ ସ୍ଥାନରେ ରହିଛି। ଭାରତ ପାଖରେ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଏବଂ ୭ଟି କାଂସ୍ୟ ପଦକ ରହିଛି।
Powered by Froala Editor