ଆରମ୍ଭ ହେଲା କ୍ରୀଡ଼ା ମହାକୁମ୍ଭ
୨୩ ସେପ୍ଟେମ୍ବର ଚୀନ୍ର ହାଙ୍ଗଝୋଉରେ ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସିଆନ ଗେମ୍ସର ଉଦଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ଅକ୍ଟୋବର ୮ ପଯ୍ୟନ୍ତ ଚାଲିବାକୁ ଥିବା ଉକ୍ତ କ୍ରୀଡ଼ା ମହାକୁମ୍ଭ ଉପରେ ସାରା ବିଶ୍ବର ନଜର ରହିଛି। ଏଥିରେ ୪୫ଟି ଏସୀୟ ଦେଶର ପ୍ରତିଯୋଗୀମାନେ ୪୦ଟି କ୍ରୀଡ଼ାର ୪୬୫ଟି ବିଭାଗରେ ପରସ୍ପରକୁ ଟକ୍କର ଦେବେ।
ପ୍ୟାରେଡ ଆରମ୍ଭ କରିଥିବା ପ୍ରଥମ ଦେଶ ଆଫଗାନିସ୍ଥାନ ଥିଲା । ଏହାପରେ ବାହାରିନ, ବାଙ୍ଗଲାଦେଶ, ଭୁଟାନ, ବ୍ରୁନେଇ ଦାରୁରସଲାମ, ଡେମୋକ୍ରେଟିକ ପିପୁଲ୍ସ ରିପବ୍ଲିକ ଅଫ୍ ଚାଇନା, ହଙ୍ଗକଙ୍ଗ, ଚୀନ, ଭାରତ, ଇଣ୍ଡୋନେସିଆ, ଇସଲାମିକ ରିପବ୍ଲିକ ଅଫ୍ ଇରାନ, ଇରାକ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ହକି କ୍ୟାପଟେନ ହରମନପ୍ରୀତ ସିଂହ ଓ ବିଶ୍ୱ ଚାମ୍ପିଅନ ବକ୍ସର ଲଭଲିନା ବୋରଗୋହେନ୍ ଏହି ଉଦଘାଟନ ସମାରୋହରେ ଭାରତର ଧ୍ୱଜବାହାକ ହୋଇଛନ୍ତି । ୨୦୨୦ ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ୨୦୧୮ରେ ଆୟୋଜିତ ଜାକର୍ତ୍ତା ଏସିଆନ ଗେମ୍ସରେ ଧ୍ୱଜବାହାକ ଥିଲେ ।
ଚଳିତ ଥର ୪୦ଟି କ୍ରୀଡ଼ା ଶୃଙ୍ଖଳାରେ ଭାରତରୁ ମୋଟ ୬୫୫ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଦୌଡ଼କୁଦରେ ସର୍ବାଧିକ ୬୮ଜଣ ରହିଛନ୍ତି। ଭାରତରେ ଏହାର ସିଧା ପ୍ରସାରଣ ଉପଲବ୍ଧ ହେବ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, କୋଭିଡ କାରଣରୁ ଏହି ଏସିଆନ୍ କ୍ରୀଡାକୁ ଗୋଟିଏ ବର୍ଷ ବିଳମ୍ବ କରି ଦିଆଯାଇଛି ।
Powered by Froala Editor