୧୭ରେ ସର୍ବଦଳୀୟ ବୈଠକ, ୧୮ ରୁ ସଂସଦର ୫ଦିନିଆ ସ୍ବତନ୍ତ୍ର ଅଧିବେଶନ
ନୂଆଦିଲ୍ଲୀ: ୧୮ ତାରିଖରୁ ଆରମ୍ଭ ହେବ ବହୁଚର୍ଚ୍ଚିତ ସଂସଦର ୫ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏଥିପାଇଁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ଅଧିବେଶନ ଆରମ୍ଭ ପୂର୍ବ ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଏବେ ପର୍ୟ୍ୟନ୍ତ ଏହି ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ ସମସ୍ତେ ଅନ୍ଧାରରେ ରହିଛନ୍ତି । କାରଣ ସରକାର ଏହି ଅଧିବେଶନ ଘୋଷଣା କରିବା ବେଳେ ଫଳପ୍ରଦ ଆଲୋଚନା କଥା କହିଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି । ତେବେ ଅଧିବେଶନ ଆରମ୍ଭ ପୂର୍ବଦିନ ୧୭ ତାରିଖ ସର୍ବଦଳୀୟ ବୈଠକ ହେବ ।ହେବାକୁ ଥିବା ଏହି ସର୍ବଦଳୀୟ ବୈଠକରେ ବିରୋଧୀମାନେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ଦାବି କରିବେ । ସରକାର ମଧ୍ୟ ୫ ଦିନିଆ ଅଧିବେଶନରେ ଶୃଙ୍ଖଳିତ ତଥା ସୁସ୍ଥ ଆଲୋଚନା ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ । ଏନେଇ ଇ-ମେଲ୍ ମାଧ୍ୟମରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସମସ୍ତ ରାଜନୈତିକ ଦଳକୁ ସୂଚୀତ କରିସାରିଛି ।
୧୮ ତାରିଖରୁ ୨୨ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସୁପାରିଶ କ୍ରମେ ଏହି ସ୍ବତନ୍ତ୍ର ଅଧିବେଶନ ଆହୁତ କରିଛନ୍ତି ରାଷ୍ଟ୍ରପତି । ପୂର୍ବରୁ କଂଗ୍ରେସ ସଂସଦୀୟ କମିଟି ମୁଖ୍ୟ ସୋନିଆ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ସାରିଛନ୍ତି । ମୁଦ୍ରାସ୍ଫିତି, ଆଦାନୀ ଷ୍ଟକକ୍ରାସ୍ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟିର ଗଠନ ଆଦି ପ୍ରସଙ୍ଗରେ ବିରୋଧୀ ଗୃହରେ ଆଲୋଚନା ଚାହାନ୍ତି ବୋଲି ସୋନିଆ ଚିଠିରେ ଉଲ୍ଲେଖ କରିଥିଲେ । ସେହିପରି ଏହି ଅଧିବେଶନରେ ସର୍ବାଧିକ ଚର୍ଚ୍ଚାରେ ରହିଛି ସରକାରଙ୍କ ଆଗୁଆ ନିର୍ବାଚନ ଓ ଏକକ ନିର୍ବାଚନ ଆଭିମୁଖ୍ୟ ।
Powered by Froala Editor