ରାତ୍ରୀଭୋଜନରେ ଯୋଗ ଦେବେ ଏହି ମନ୍ତ୍ରୀ, ବାଦ ପଡିଛନ୍ତି ହେଭିୱେଟ ନେତା
ନୂଆଦିଲ୍ଲୀ: ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ । ସଦସ୍ୟ ଦେଶର ରାଷ୍ଟ୍ରନେତାଙ୍କ ପାଇଁ ଶନିବାର ରାତିରେ ରାତ୍ରୀଭୋଜନର ଆୟୋଜନ କରାଯାଇଛି । ତେବେ ଏବେ ଚର୍ଚ୍ଚା ପାଲଟିଛି ନିମନ୍ତ୍ରିତ ଅତିଥିଙ୍କୁ ନେଇ । ଜାତୀୟ ରାଜନୀତିରରେ କିଛି ବଚ୍ଛାବଚ୍ଛା ରାଜନେତାଙ୍କୁ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିବାବେଳେ ବାଦ ପଡିଛନ୍ତି କିଛି ହେଭିୱେଟ ନେତା । ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ତରଫରୁ ଆୟୋଜିତ ରାତ୍ରୀଭୋଜନ କାର୍ୟ୍ୟକ୍ରମରେ କିଛି ହାଇପ୍ରୋଫାଇଲ ରାଜନେତାଙ୍କ ସମେତ ଭାରତ ସରକାରଙ୍କ କିଛି ସଚିବ ଓ ବିଶିଷ୍ଠ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଏଚଡି ଦେବଗୌଡାଙ୍କୁ ମିଳିଛି ନିମନ୍ତ୍ରଣ । ତେବେ ଦେବଗୌଡା ଅସୁସ୍ଥତା କାରଣ ଦର୍ଶାଇ ଯୋଗ ଦେବେନି ବୋଲି ଜଣାପଡିଛି ।
ସବୁଠୁ ବଡ କଥା ହେଉଛି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରାଯାଇନି । ଏପରିକି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିନଥିବା ଜଣାପଡିଛି । ଖଡ଼ଗେଙ୍କୁ ନିମନ୍ତ୍ରଣ ନପଠାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ସରକାର ବିରୋଧୀଙ୍କୁ ହେୟଜ୍ଞାନ କରୁଛନ୍ତି । ବିଶାଳ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷକଙ୍କୁ ନିମନ୍ତ୍ରଣ ନକରିବା କେବଳ ଦଳର ନୁହେଁ ଜନତାଙ୍କ ମଧ୍ୟ ଅପମାନ । ମୋଦୀ ସରକାର ଦେଶର ୬୦ପ୍ରତିଶତ ଜନତାଙ୍କୁ ସମ୍ମାନ ଦେଉ ନାହାଁନ୍ତି । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ. ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାତ୍ରୀଭୋଜନରେ ଯୋଗ ଦେବେ ।
Powered by Froala Editor