ଭେହିକିଲ୍ ଲୋକେସନ ଟ୍ରାକିଂ ଡିଭାଇସ ନଥିଲେ ପହିଲାରୁ ପଞ୍ଜୀକରଣ କରାଯିବନି ଗାଡି଼

ଭୁବନେଶ୍ୱର: ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡି଼ରେ ଭେହିକିଲ୍ ଲୋକେସନ ଟ୍ରାକିଂ ଡିଭାଇସ (ଭିଏଲ୍ଟିଡି) ଓ ପ୍ୟାନିକ୍ ବଟନ ନଥିଲେ, ଆସନ୍ତା ମାସ ପହିଲାରୁ ପଞ୍ଜୀକରଣ କରାଯିବନି । ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡି଼ରେ ଚଳିତବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ ସଂଯୋଗ ବାଧ୍ୟତାମୂଳକ । ରାଜ୍ୟ ପରିବହନ ଆୟୁକ୍ତ ଏହି ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି ।
ବସ୍, ଶିକ୍ଷାନୁଷ୍ଠାନ ବସ୍, ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍, ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକରେ ଏହି ଭିଏଲଟିଡି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି । କେବଳ ଦୁଇଚକିଆ, ତିନିଚକିଆ ଓ ରିକ୍ସା ଏଥିରୁ ବାଦ୍ ପଡି଼ଛି । ମହିଳା ଓ ଶିଶୁ ଯାତ୍ରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ଭିଏଲ୍ଟିଡି ଡିଭାଇସ୍ ଖଞ୍ଜିବାକୁ କୁହାଯାଇଛି । କେହି ଚଳିତମାସ ୩୦ ଭିତରେ ପରିବହନ ଗାଡି଼ କିଣିଥିଲେ, ଡିସେମ୍ବର ୩୧ତାରିଖ ପୂର୍ବରୁ ଏହି ଡିଭାଇସ୍ ଲଗାଇବେ । ଧାର୍ୟ୍ୟ ସମୟସୀମାରେ ଡିଭାଇସ୍ ଖଞ୍ଜି ନ ପାରିଲେ, ସମ୍ପୃକ୍ତ ଗାଡ଼ିର ଫିଟନେସ ବାତିଲ ହେବ । ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ)ରେ ଗାଡି଼ର ମାଲିକାନା ପରିବର୍ତ୍ତନ, ପରମିଟ୍ ଓ ନ୍ୟାସନାଲ ପରମିଟ୍ ଆଦି କାଗଜପତ୍ର କାମ ହୋଇ ପାରିବନି ।
Powered by Froala Editor