୪୦ ହଜାର ବଢ଼ିଲା ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ବିଧାୟକଙ୍କ ଦରମା

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା ଏକାଥରକେ ମୋଟା ଆକାରରେ ବଢ଼ାଇଛନ୍ତି। ‘ଅନ୍ୟ ରାଜ୍ୟ ତୁଳନାରେ ପଶ୍ଚିମବଙ୍ଗ ବିଧାନସଭାର ବିଧାୟକଙ୍କ ଦରମା ବହୁତ କମ୍। ତେଣୁ ସେମାନଙ୍କ ଦରମା ମାସିକ ୪୦ ହଜାର ଟଙ୍କା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଛି’ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଦରମାକୁ ସେ ଗୋଟିଏ ନିକିତିରେ ତଉଲିବା ପରେ ସମସ୍ତଙ୍କ ଦରମା ସମାନ ମାତ୍ରାରେ ବଢ଼ାଇଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ଦରମା ବୃଦ୍ଧି ସମ୍ପର୍କରେ ଘୋଷଣା କରିଥିବାରୁ ଏଣିକି ବିଧାୟକମାନେ ମାସକୁ ୫୦ ହଜାର ଟଙ୍କା ଲେଖାଏ ପାଇବେ। ପୂର୍ବରୁ ସେମାନଙ୍କୁ ୧୦ ହଜାର ଟଙ୍କା ଦରମା ବାବଦରେ ମିଳୁଥିଲା। ସେହିପରି ରାଷ୍ଟ୍ରମନ୍ତ୍ରୀମାନଙ୍କ ଦରମା ୧୦,୯୦୦ ଟଙ୍କାରୁ ବଢ଼ି ୫୦,୯୦୦ ଟଙ୍କା ଓ କ୍ୟାବିନେଟ ମନ୍ତ୍ରୀମାନେ ମାସିକ ୧୧ ହଜାର ଟଙ୍କା ବଦଳରେ ୫୧ ହଜାର ଟଙ୍କା ଲେଖାଏ ପାଇବେ।
ଏହାର ଅର୍ଥ ବିଧାୟକମାନେ ଦରମା ଓ ଭତ୍ତାକୁ ମିଶାଇ ମାସକୁ ୧.୨୧ ଲକ୍ଷ ଟଙ୍କା ପାଇବେ। ପୂର୍ବରୁ ସେମାନଙ୍କୁ ୮୧ ହଜାର ଟଙ୍କା ଲେଖାଏ ମିଳୁଥିଲା। ସେହିପରି ମନ୍ତ୍ରୀମାନେ ମାସକୁ ୧.୧୦ ଲକ୍ଷ ବଦଳରେ ପ୍ରାୟ ୧.୫୦ ଲକ୍ଷ ଟଙ୍କା ପାଇବେ।
Powered by Froala Editor