ଗସ୍ତସୂଚୀରେ ପରିବର୍ତ୍ତନ: କାଲି ଭାରତ ଆସିବେ ବାଇଡେନ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ନୁହେଁ, ଆସନ୍ତାକାଲି(ଶୁକ୍ରବାର) ଠାରୁ ୩ ଦିନିଆ ଭାରତ ଗସ୍ତରେ ଆସିବେ । ସେ ନୂଆଦିଲ୍ଲୀରେ ପହଞ୍ଚିବା ପରେ କାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଏନେଇ ଆଜି ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀରେ ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିରେ ଅର୍ଦ୍ଧସାମରିକ ବାହିନୀ, ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପର କମାଣ୍ଡୋ ସହିତ ଗୁଇନ୍ଦା ଏଜେନ୍ସିର ଅଧିକାରୀ ସାମିଲ ହେବେ ।
ଆଜି ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଆସିବାର କାର୍ୟ୍ୟକ୍ରମ ଥିଲା । ହେଲେ ତାଙ୍କ ଗସ୍ତସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ହ୍ବାଇଟ୍ ହାଉସ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଆସନ୍ତାକାଲି(ଶୁକ୍ରବାର) ଠାରୁ ରାଷ୍ଟ୍ରପତି ବାଇଡେନଙ୍କ ୩ ଦିନିଆ ଭାରତ ଗସ୍ତ ଆରମ୍ଭ ହେବ । ସେ କାଲି ଆମେରିକାରୁ ପ୍ରଥମେ ଜର୍ମାନୀ ରାମଷ୍ଟେନକୁ ଯିବେ । ସେଠାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଭାରତରେ ପହଞ୍ଚିବା ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ କଥାବର୍ତ୍ତା କରିବାର କାର୍ୟ୍ୟକ୍ରମ ରହିଛି । ଏହାପରେ ବାଇଡେନ ଶନିବାର ଓ ରବିବାର ଦିନ ଜି-୨୦ ସମ୍ମିଳନୀରେ ସାମିଲ ହେବେ ।
ରବିବାର ଦିନ ଆମେରିକା ରାଷ୍ଟ୍ରପତି ଜି-୨୦ ପ୍ରତିନିଧିମାନଙ୍କ ସହ ରାଜଘାଟ ସ୍ମୃତିସ୍ତମ୍ଭ ପରିଦର୍ଶନ କରିବେ । ୩ ଦିନିଆ ଭାରତ ଗସ୍ତ ସାରି ସେହିଦିନ ସେ ଦିଲ୍ଲୀରୁ ଭିଏତନାମା ହାନୋଇକୁ ଯାତ୍ରା କରିବେ ।
Powered by Froala Editor