କୁକୁର କାମୁଡ଼ିଥିଲା ବୋଲି କହିଲେନି ନାବାଳକ, ଜଳାତଙ୍କରେ ଚାଲିଗଲା ଜୀବନ
ଜଳାତଙ୍କ ରୋଗରେ ଗାଜିଆବାଦରେ ଜଣେ ୧୪ବର୍ଷର ବାଳକର ମୃତ୍ୟୁ ଘଟିଛି। ବାଳକକୁ ଏକ ମାସ ପୂର୍ବରୁ କୁକୁର କାମୁଡ଼ିଥିଲା। କିନ୍ତୁ ସେ ଏ ବିଷୟରେ ପିତାମାତାଙ୍କୁ କିଛି କହି ନଥିଲେ। ତାଙ୍କର ଏହି ଗୋଟିଏ ଭୁଲ ତାଙ୍କ ଜୀବନ ନେଇଯିବ ବୋଲି ତାଙ୍କୁ ଜଣାନଥିଲା। ମୃତକଙ୍କ ନାମ ସାବେଜ ବୋଲି ଜଣାପଡ଼ିଛି।
ଗାଜିଆବାଦର ବିଜୟନଗର ଥାନା ଅଞ୍ଚଳରେ ଚରଣ ସିଂହ କୋଲନୀରେ ୟାକୁବ ନାମକ ଜଣେ ବ୍ୟକ୍ତି ପରିବାର ସହ ରୁହନ୍ତି। ୟାକୁବଙ୍କ ୧୪ ବର୍ଷୀୟ ପୁଅ ସାବେଜ ୮ମ ଶ୍ରେଣୀରେ ପଢ଼େ। ୪ ଦିନ ତଳେ ସେ ଅଜବ ହରକତ ସବୁ କରିବା ଆରମ୍ଭ କରିଥିଲା। ସେ ପାଣି ଦେଖିବା ମାତ୍ରେ ଡରିବା ଆରମ୍ଭ କରିଥିଲା। ଖାଇବା ଓ ପାଣି ପିଇବା ବନ୍ଦ କରି ଦେଲା। ବାରମ୍ବାର ଜିଭ କାଢ଼ିବା ସହ କୁକୁରଙ୍କ ଭଳି ଭୁକିବାରେ ଲାଗିଥିଲା।
ପରିବାର ଲୋକ ତା’କୁ ଡାକ୍ତରଙ୍କ ପାଖକୁ ନେବାରୁ ସେଠାରେ ଜଣା ପଡ଼ିଥିଲା ଯେ ସାବେଜଙ୍କୁ ବେଶ କିଛି ଦିନ ପୂର୍ବରୁ କୌଣସି କୁକୁର କାମୁଡ଼ିଥିଲା। ଏହାର ଚିକିତ୍ସା କରାଯାଇ ନଥିବାରୁ ସଂକ୍ରମଣ ପୂରା ଶରୀରରେ ବ୍ୟାପି ଯାଇଥିବା ଡାକ୍ତର କରିଥିଲେ।
ଗାଜିଆବାଦରୁ ନିରାଶ ହେବା ପରେ ପରିବାର ଲୋକ ତାଙ୍କୁ ମୀରଟ ନେଇଥିଲେ। ସେଠାରୁ ତାକୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। କିନ୍ତୁ ସଂକ୍ରମଣ ଅଧିକ ଥିବାରୁ କେହି ବି ତାଙ୍କର ସଫଳ ଚିକିତ୍ସା କରି ପାରି ନଥିଲେ। ଶେଷରେ ସୋମବାର ସାବେଜ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।
Powered by Froala Editor