ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଉ ନାହାନ୍ତି

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶନିବାର ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ରାଜଶ୍ରୀ ପାତ୍ର, ଦୁଇ ପୁଅ ଓ ଝିଅ ଉପସ୍ଥିତ ଥିଲେ।
ସୂର୍ଯ୍ୟ ୧୯୪୮ ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିଲେ। ସେ ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ। ୧୯୭୭ ମସିହାରେ ବ୍ରହ୍ମପୁର ମହାନଗର ନିଗମ କାଉନସିଲର ଭାବେ ନିର୍ବାଚିତ ହେବା ପରଠୁ ଆଉ ରାଜନୀତିରେ ପଛକୁ ଫେରି ନଥିଲେ। ସେ ଫିସଫେଡ୍, ଓମଫେଡ୍ ଓ ଓପେଲଫେଡ୍ର ଅଧ୍ୟକ୍ଷ ସହ ଦୀର୍ଘବର୍ଷ ଧରି ଓଡ଼ିଶା ଘରୋଇ ମୋଟର ପରିବହନ କର୍ମଚାରୀ ସଂଘର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଗଞ୍ଜାମ ଆଥଲେଟିକ୍ ଆସୋସିଏସନର କାର୍ଯ୍ୟନିର୍ବାହୀ ସଦସ୍ୟ ଥିଲେ ।
ସ୍ୱର୍ଗତ ପାତ୍ର ପ୍ରଥମ ଥର ପାଇଁ ୧୯୯୦ ମସିହାରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଜନତା ଦଳ ଟିକେଟରେ ମୋହନା ବିଧାନସଭା ଆସନରୁ ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦୁଇଥର ନିର୍ବାଚିତ ହୋଇଥିଲେ । ସେ ୧୯୯୦ ମସିହା ପରଠୁ କେବେ ନିର୍ବାଚନରେ ପରାଜିତ ହୋଇନଥିଲେ । ସୂର୍ଯ୍ୟ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ତଥା ୧୬ତମ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ। ୨୦୨୨ ଜୁନ୍ ମାସରେ ତାଙ୍କୁ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।
ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
Powered by Froala Editor