ନୃସିଂହନାଥ ମନ୍ଦିରର ୩ ଦାନ ବାକ୍ସ ସଫା କରିଦେଲେ ଚୋର
ପ୍ରସିଦ୍ଧ ନୃସିଂହନାଥ ମନ୍ଦିରର ଦାନ ବାକ୍ସ ଲୁଟି ନେଇଛନ୍ତି ଚୋର । ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରର ୩ଟି ଦାନବାକ୍ସ ସହ ମୁଖ୍ୟ ଦାନ ବାକ୍ସର ସବୁ ଟଙ୍କା ଦୁର୍ବୃତ୍ତ ଚୋରି କରିଛନ୍ତି। ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ବୁଧବାର ରାତି ପ୍ରାୟ ଅଢ଼େଇଟାରେ ତିନି ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଚାଳଧାର ନିକଟସ୍ଥ ଗେଟ୍ର ତାଲା ଭାଙ୍ଗି ମୁଖ୍ୟ ଦ୍ବାର ଗେଟ୍ ଭାଙ୍ଗି ଭିତରକୁ ପଶିଥିଲେ। ମହାପ୍ରଭୁଙ୍କ ସମ୍ମୁଖରେ ଥିବା ମୁଖ୍ୟ ଦାନବାକ୍ସ ତାଡ଼ି ସବୁ ଟଙ୍କା ନେଇଥିଲେ। ଏଥିସହ ମନ୍ଦିର ଭିତରେ ଥିବା ଆଉ ତିନୋଟି ଦାନ ବାକ୍ସ ମଧ୍ୟ ନେଇ ପଳାଇଛନ୍ତି।
ସକାଳେ ପୂଜକମାନେ ମହାପ୍ରଭୁଙ୍କର ନୀତି ପାଇଁ ଆସି ଚୋରି ସଂପର୍କରେ ଜାଣି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ପୁଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସାଇଣ୍ଟିଫିକ୍ ଦଳ ସହ ସନ୍ଧାନୀ କୁକୁର ତନାଘନା କରି ଫେରି ଯାଇଥିଲେ।
ପୂର୍ବରୁ ମଧ୍ୟ ଏହି ମନ୍ଦିରରେ ଚୋରି ହୋଇଛି । ୧୯୮୪ ସେପ୍ଟେମ୍ବର ୨୪ ତାରିଖ ରାତିରେ ନୃସିଂହନାଥ ଭଗବାନଙ୍କ ମୂର୍ତ୍ତି ଚୋରି ହୋଇଥିଲା। ବର୍ଷେ ପରେ ସମ୍ବଲପୁର ରେଳଷ୍ଟେସନ୍ରୁ ଚୋର ଗିରଫ ହେବା ସହ ମୂର୍ତ୍ତି ଉଦ୍ଧାର ହୋଇଥିଲା। ୧୯୯୭ ମସିହାରେ ମୁଖ୍ୟ ମନ୍ଦିରରୁ କବାଟ ଭାଂଗି ଦାନବାକ୍ସ ଚୋରି ଉଦ୍ୟମ ହୋଇଥିଲା।
ତେବେ ବାରମ୍ବାର ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି ନଥିବାରୁ ଚୋର ମନ୍ଦିର ଲୁଟ୍ କରିବାରେ ସଫଳ ହେଉଛନ୍ତି ବୋଲି କୁହାଯାଉଛି ।
Powered by Froala Editor