ଚିତ୍ରକୋଣ୍ଡାରେ ହେବ ୩ ବୃହତ ସେତୁ, ୧୦୧ କୋଟି ମଞ୍ଜୁର
ମାଲକାନଗିରି ଜିଲ୍ଲାରେ ସ୍ବାଭିମାନ ଅଞ୍ଚଳ ଏବେ ବିକାଶ ପଥରେ ଦ୍ରୁତ ଅଗ୍ରଗତି କରୁଛି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଚିତ୍ରକୋଣ୍ଡା ବ୍ଲକରେ ୩ଟି ବୃହତ ସେତୁ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହାକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ବାରା ସ୍ବାଭିମାନ ଅଞ୍ଚଳର ୩୭ ହଜାର ଲୋକ ଉପକୃତ ହେବେ। ଏହି ସେତୁ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।
ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଟେଲିଯୋଗାଯୋଗ ଆଦି ଅନେକ ମୌଳିକ ସେବା ସୁବିଧାରେ ଉପଲବ୍ଧ ହେଉଛି। ରୂପାନ୍ତର ପ୍ରକ୍ରିୟାରେ ସ୍ବାଭିମାନ ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସେତୁ ଯୋଜନା (Socio Economic Transformation & Upliftment) ମଧ୍ୟ ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ନେଇ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ୩ଟି ବୃହତ ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
Powered by Froala Editor