ଚହ୍ବାନଙ୍କ ଦାବିକୁ ଖଣ୍ଡନ କଲେ ଶରଦ, କହିଲେ ‘ଭାଜପାରୁ କୌଣସି ଅଫର ମିଳିନି’
ଶରଦ ପାୱାର ଓ ଅଜିତ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକକୁ ନେଇ ମହାରାଷ୍ଟ୍ରରେ ରାଜନୀତିକ ହଟଚମଟ ଜାରି ରହିଛି। ଏହି ଭେଟଘାଟ ବେଳେ ଅଜିତ ପାୱାର ତାଙ୍କ ଦାଦା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ବିଜେପି ସହ ହାତ ମିଳାଇବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଏପରି ଅଫର ମିଳିଥିବା ଖବରକୁ ନିଜେ ଶରଦ ପାୱାର ଖଣ୍ଡନ କରିଛନ୍ତି। ଭାଜପାରୁ କୌଣସି ଅଫର୍ ମିଳି ନ ଥିବା ସ୍ପଷ୍ଟ କରିଛନ୍ତି। ଶରଦ ପାୱାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚହ୍ବାନଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ମୋତେ ଭାଜପା ପକ୍ଷରୁ କୌଣସି ଅଫର୍ ଦିଆଯାଇନାହିଁ। ଅଜିତ ପାଓ୍ବାରଙ୍କ ସହ ହୋଇଥିବା ବୈଠକରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ।
ଶରଦ ପାୱାର କହିଛନ୍ତି, ଭାଜପା ଲୋକମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚାହୁଁଛି ଏବଂ ଧର୍ମ, ସମ୍ପ୍ରଦାୟ ଆଧାରରେ ଲୋକଙ୍କୁ ବିଭକ୍ତ କରୁଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସରକାରକୁ ଭାଜପା ଅସ୍ଥିର କରିଥିଲ। ‘ଇଣ୍ଡିଆ’ର ପରବର୍ତ୍ତୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଭାଜପା ସହିତ ଲଢିବା ପାଇଁ ଏଠାରେ ଏକ ସଫଳ ରଣନୀତି ପ୍ରସ୍ତୁତ ହେବ।
ଭାଜପାର ଅଫର ପାଇଁ ଅଜିତ ଏବଂ ଶରଦଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିବା ଚହ୍ବାନ ଦାବି କରିଥିଲେ।
Powered by Froala Editor