ଘରେ ତ୍ରିରଙ୍ଗା ଉଡ଼ାଇଲେ ଆତଙ୍କବାଦୀ ଭାଇ, କହିଲେ ‘ସାରେ ଜାହାନ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା’

ସ୍ବାଧୀନତା ଦିବସ ପାଳନ ପାଇଁ ରବିବାରଠାରୁ ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏଭଳି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ହିଜବୁଲ ଆତଙ୍କବାଦୀର ଭାଇ ନିଜ ଘରେ ତ୍ରିରଙ୍ଗା ଉଡ଼ାଇଥିବା ଦେଖିବାକୁ ମିଳିଛି।
ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଥିବା ବେଳେ ଜାଭେଦର ଭାଇ ରୟୀସ ଏହାକୁ ଅନୁକରଣ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ରୟୀସ ବେଶ ଗର୍ବ ଓ ଖୁସିର ସହ ତ୍ରିରଙ୍ଗାକୁ ନିଜ ଘରର ବାଲକୋନୀ ଓ ଘର ବାହାରେ ଉଡ଼ାଉଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ରୟୀସ ଏଏନଆଇକୁ କହିଛନ୍ତି ଯେ “ମୁଁ ମୋ ହୃଦୟରୁ ତ୍ରିରଙ୍ଗାକୁ ଉଡ଼ାଇଛି। ଏଥିପାଇଁ କାହାର ଚାପ ନଥିଲା।
ସାରେ ଜାହାନ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା, ହମ ବୁଲବଲେ ହେ ଇସକେ ୟେ ଗୁଲସ୍ତାନ ହମାରା। ଏଠାରେ ସ୍ଥିତି ବଦଳିଛି। ଅଗଷ୍ଟ ୧୪ରେ ପ୍ରଥମଥର ପାଇଁ ମୁଁ ମୋ ଦୋକାନରେ ବସିବାକୁ ସକ୍ଷମ ହୋଇଛି। ପୂର୍ବରୁ ଏହା ୨ରୁ ୩ ଦିନ ବନ୍ଦ ରହୁଥିଲା।
ମୋ ଭାଇ ୨୦୦୯ରେ ଆତଙ୍କବାଦୀ ହୋଇଥିଲା। ସେବେଠାରୁ ତା’ ବିଷୟରେ ଆମ ପାଖରେ କୌଣସି ଖବର ନାହିଁ। ଯଦି ସେ ବଞ୍ଚିଛି, ତା’ହେଲେ ତାକୁ ପୁଣି ମୁଖସ୍ରୋତକୁ ଫେରି ଆସିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ।
ସ୍ବାଧୀନତା ଦିବସ ପୂର୍ବରୁ ଜମ୍ମୁ-କଶ୍ମୀରରେ ଶାନ୍ତି ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷ ଭାବେ ପାକିସ୍ତାନକୁ ଲାଗି ରହିଥିବା ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ଏ ନେଇ ଗତ ସପ୍ତାହରେ ଏକ ବୈଠକର ଆୟୋଜନ କରାଯାଇଥିଲା ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
Powered by Froala Editor