ହସ୍ପିଟାଲରେ ମୃତ୍ୟୁ ଆତଙ୍କ : ୨୪ ଘଣ୍ଟାରେ ଚାଲିଗଲା ୧୮ ଜୀବନ

ମହାରାଷ୍ଟ୍ରର ଥାଣେରେ ଥିବା ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରେ ୨୪ଘଣ୍ଟା ପ୍ରାୟ ୧୮ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି। ଏଠାରେ ଅଗଷ୍ଟ ୧୦ ରେ ଗୋଟିଏ ଦିନରେ ପାଞ୍ଚ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଗତ ୨୪ଘଣ୍ଟା ପ୍ରାୟ ୧୮ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି।
ମୃତକ ୧୮ଜଣଙ୍କ ମଧ୍ୟରୁ ୧୨ଜଣଙ୍କ ବୟସ ୫୦ରୁ ଉର୍ଦ୍ଧ୍ବ ଥିଲା ବୋଲି ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣ ଥାଣେ ସହରରୁ, କଲ୍ୟାଣରୁ ୪ଜଣ, ସାହାପୁରରୁ ତିନି ଜଣ, ଭିୱାଣ୍ଡି, ଉଲ୍ଲାସନଗର, ଗୋବଣ୍ଡିରୁ ଜଣେ ଲେଖାଏ ମୃତକ ରହିଛନ୍ତି। ଆଉ କିଛି ଜଣଙ୍କୁ ଚିହ୍ନଟ କରାଯାଇପାରିନାହିଁ। ମୃତ ରୋଗୀମାନଙ୍କ ମଧ୍ୟରୁ କେତେକ ପୂର୍ବରୁ କ୍ରନିକ୍ କିଡନୀ ରୋଗ, ନିମୋନିଆ, କିରୋସିନ କାରଣରୁ ବିଷାକ୍ତତା, ସଡ଼କ ଦୁର୍ଘଟଣା ଏବଂ ଅନ୍ୟାନ୍ୟ କାରଣରୁ ଚିକିତ୍ସିତ ହେଉଥିଲେ।'
ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଯାଇଛି। ଏନସିପି ମୁଖ୍ୟ ଶରଦ ପାୱାର ମୃତ ରୋଗୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଜିଲ୍ଲା ପ୍ରଶାସନ ସଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି। ଶରଦ ପାୱାର କହିଛନ୍ତି, 'ଗତ କିଛି ଦିନ ମଧ୍ୟରେ 5 ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ଗତକାଲି ରାତିରେ ଥାନେ ନଗର ନିଗମର କୋପାରୀ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରେ ପୁଣି ରୋଗୀଙ୍କ ମୃତ୍ୟୁ ଘଟିଛି। ଏପରି ଘଟିବା ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ସତର୍କ ନ ହେବା ଅତ୍ୟନ୍ତ ନିନ୍ଦନୀୟ।'
Powered by Froala Editor