୩ ମିନିଟରେ ୧୫,୦୦୦ ଫୁଟ ତଳକୁ ଖସିଲା ବିମାନ

ଫ୍ଲୋରିଡା ଅଭିମୁଖେ ଯାଉଥିବା ଆମେରିକାନ୍ ଏୟାରଲାଇନ୍ସର ଏକ ବିମାନ ୩ ମିନିଟ୍ ମଧ୍ୟରେ ୧୫,୦୦୦ ଫୁଟରୁ ଅଧିକ ତଳକୁ ଖସି ପଡ଼ିଥିଲା। କ୍ୟାବିନ ପ୍ରେସର କମ ହେବା କାରଣରୁ ବିମାନଟି ମାତ୍ର ୩ ମିନିଟରେ ୧୫,୦୦୦ଫୁଟ ତଳକୁ ଖସି ଯାଇଥିଲା। ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭିତ ହୋଇଯାଇଥିଲେ।
ଫକ୍ସ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାନ୍ ଏୟାରଲାଇନ୍ସ ବିମାନ ୫୯୧୬ ଆମେରିକାର ଚାର୍ଲୋଟ, ନର୍ଥ କାରୋଲିନାରୁ ଫ୍ଲୋରିଡାର ଗେନେସ୍ଭିଲ୍ ଅଭିମୁଖେ ଉଡ଼ାଣ ଭରିଥିଲା। ବିମାନଟି ମଝି ଆକାଶରେ ଉଡାଣ ଭରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ବିମାନର କ୍ୟାପ୍ଟେନ୍ ‘ସମ୍ଭାବ୍ୟ ଚାପ ଜନିତ ସମସ୍ୟା’ ବିଷୟରେ ସୂଚନା ଦେବା ପରେ ଏହି ଘଟଣା ଯାତ୍ରୀମାନଙ୍କୁ ସ୍ତବ୍ଧ କରିଦେଇଥିଲା।
ଫ୍ଳୋରିଡା ବିଶ୍ୱବିଦ୍ୟାଳୟର ପ୍ରଫେସର ହ୍ୟାରିସନ ହୋବ ସେହି ବିମାନରେ ଯାତ୍ରା କରୁଥିଲେ। ସେ ସୋସିଆଲ ମିଡିଆରେ ବିମାନ ଖସିବା ସମୟର ଅନୁଭୁତି ସେୟାର କରିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଭୟାନକ ଥିଲା। ସେ ସମୟରେ ବିମାନ ଭିତରର ସ୍ଥିତି ଏବଂ ଯାତ୍ରୀମାନଙ୍କ ଅବସ୍ଥା ଯାହାଥିଲା ତାକୁ ଫଟୋରେ କଏଦ କରାଯାଇପାରିବ ନାହିଁ। ତେବେ ସେ ସେୟାର କରାଯାଇଥିବା ଫଟୋରେ ବିମାନରେ ଅକ୍ସିଜେନ ମାସ୍କ ଝୁଲୁଥିବା ବେଳେ ତାଙ୍କ ସମେତ ଅନେକ ଯାତ୍ରୀ ଏହାର ସାହାଯ୍ୟରେ ନିଶ୍ୱାସ ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।
Powered by Froala Editor