୪ ମାସ ପରେ ପୁଣି ଥରେ ଭାରତ ଏବଂ ଚୀନ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଚୀନକୁ ରୋକଠୋକ ଶୁଣାଇବ ଭାରତ । ଅଗଷ୍ଟ ୧୪ରେ ହେବାକୁ ଥିବା ସୈନ୍ୟ ସ୍ତରୀୟ ଆଲୋଚନାରେ ଲଦାଖର ସଂଘର୍ଷ ସ୍ଥଳରୁ ପଛକୁ ହଟିବାକୁ ଚୀନ୍କୁ କହିବ ଭାରତ । ପ୍ରାୟ ୪ ମାସ ପରେ ପୁଣି ଥରେ ଭାରତ ଏବଂ ଚୀନ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା ହେବାକୁ ଯାଉଛି । ଏହି ଆଲୋଚନାର ୧୯ ତମ ସଂସ୍କରଣରେ ଲଦାଖ ଘାଟିରେ ଘଟିଥିବା ସଂଘର୍ଷ ସ୍ଥଳରୁ ପିଏଲଏ ଯବାନମାନଙ୍କୁ ଆହୁରି ପଛକୁ ହଟିବା ଉପରେ ଭାରତ ଜୋର ଦେବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଭାରତୀୟ ପ୍ରତିନିଧିମଣ୍ଡଳୀ ପିଏଲଏ ଯବାନମାନଙ୍କ ହଟିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଚୀନ ପ୍ରତିପକ୍ଷଙ୍କୁ କହିବେ ବୋଲି ଜଣାପଡ଼ିଛି । ପୂର୍ବ ଲଦାଖରେ ସଂଘର୍ଷ ସଂଗଠିତ ହୋଇଥିବା ସ୍ଥାନରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ଗତିରୋଧ ଜାରି ରହିଛି । ଏସବୁ ଭିତରେ ଉଭୟ ଭାରତ ଏବଂ ଚୀନ୍ ବିଭିନ୍ନ ଅଂଚଳରୁ ବହୁ ପର୍ୟ୍ୟାୟ ସୈନ୍ୟ ଆଲୋଚନା ପରେ ନିଜ ନିଜର ସେନାଙ୍କୁ ପଛକୁ ହଟାଇବା ପ୍ରକ୍ରିୟା ଜାରି ରଖିଛନ୍ତି । ୧୮ ତମ ଆଲୋଚନା ପର୍ୟ୍ୟାୟରେ ଡେପସାଙ୍ଗ ଏବଂ ଡେମଚୋକରୁ ସେନା ପ୍ରତ୍ୟାହାର କରିବକୁ ଚୀନ ଉପରେ ଚାପ ପକାଇଥିଲା ଭାରତ । ଏହି ଆଲୋଚନା ଏପ୍ରିଲ ୨୩ରେ ହୋଇଥିଲା ।
ଆଗାମୀ ପର୍ୟ୍ୟାୟ ଆଲୋଚନା ୧୪ ଅଗଷ୍ଟରେ ଚୁଶଲୁ-ମଲଡୋ କ୍ଷେତ୍ରରେ ଅନୁଷ୍ଠିତ ହେବ । ଦ୍ବିପାକ୍ଷିକ ସମ୍ବନ୍ଧ ସାମାନ୍ୟ କରିବାକୁ ଜି-୨୦ ଶିଖର ସମ୍ମିଳନୀରେ ଏକ ରାତ୍ରିଭୋଜନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିବା ନେଇ ଗତମାସ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା । ଏହାପରେ ଜୋହନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମୀଳନୀରେ ଏନଏସଏ ଅଜିତ ଡୋଭାଲ ଚୀନ୍ର ଓ୍ବାଙ୍ଗ ଓ୍ବାଇଙ୍କ ସହ ଏନେଇ ଆଲୋଚନା କରିଥିବା ନେଇ ଜଣାପଡ଼ିଥିଲା । ୨୦୨୦ରେ ସୈନ୍ୟ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ଖରାପ ହେଉଥିବା ନେଇ କହିଥିଲେ ଅଜିତ ଡୋଭାଲ ।
Powered by Froala Editor