ନିରାମିଷ ଥାଳି ମହଙ୍ଗା:ଜୁନ୍ ତୁଳନାରେ ଜୁଲାଇରେ ୨୮% ବୃଦ୍ଧି

ନୂଆଦିଲ୍ଲୀ: ଟମାଟୋ ଦରରେ ହୋଇଥିବା ଆକାଶଛୁଆଁ ବୃଦ୍ଧି ପ୍ରଭାବରେ ନିରାମିଷ ଥାଳି ମହଙ୍ଗା ହୋଇଛି। ଜୁନ୍ ତୁଳନାରେ ଜୁଲାଇରେ ନିରାମିଷ ଥାଳି ମୂଲ୍ୟରେ ୨୮% ବୃଦ୍ଧି ହୋଇଛି ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ଜଣାଇଛି। କେବଳ ଟମାଟୋ ଦାମ୍ରେ ହୋଇଥିବା ବୃଦ୍ଧି ପାଇଁ ଥାଳି ଦାମ୍ ୨୫% ବଢ଼ିଛି। ଜୁନ୍ରେ ଟମାଟୋ କେଜି ଥିଲା ୩୩ ଟଙ୍କା। ଜୁଲାଇରେ ତାହାର ହାରାହାରି ମୂଲ୍ୟ ୨୨୩ ପ୍ରତିଶତ ବୃଦ୍ଧି ପାଇ ୧୧୦ ଟଙ୍କା ହୋଇଯାଇଛି। ନିରାମିଷ ଥାଳି ତୁଳନାରେ ଆମିଷ ଥାଳି ଦାମ୍ ୧୧% ବଢ଼ିଛି।
ଭାରତର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାଗରେ ଲୋକମାନେ ଘରେ ରୋଷେଇ କରିବା ଲାଗି ବ୍ୟବହାର କରୁଥିବା ଉପାଦାନଗୁଡ଼ିକୁ ବିଚାରକୁ ନେଇ କ୍ରିସିଲ୍ ପକ୍ଷରୁ ନିରାମିଷ ଥାଳିର ଦାମ୍ ନିର୍ଧାରଣ କରାଯାଇଥିଲା। ଜୁନ୍ ଓ ଜୁଲାଇ ତୁଳନାରେ ପିଆଜ ଦାମ୍ ୧୬ ପ୍ରତିଶତ ଓ ଆଳୁ ୯ ପ୍ରତିଶତ ବଢ଼ିଛି। ଲଙ୍କା ଦାମ୍ ୬୦% ଓ ଜିରା ମୂଲ୍ୟ ୧୬% ବଢ଼ିଛି। ଏହି ସମୟରେ ଖାଇବା ତେଲ ଦାମ୍ ୨ ପ୍ରତିଶତ କମିଥିବା ବେଳେ ଚିକେନ୍ ଦାମ୍ ୩-୫% ହ୍ରାସ ପାଇଥିଲା।
Powered by Froala Editor