ହାଇକୋର୍ଟରେ ଏଏସ୍ଆଇର ସତ୍ୟପାଠ ଦାଖଲ: ରତ୍ନଭଣ୍ଡାର ମରାମତି ନିହାତି ଆବଶ୍ୟକ
କଟକ: ରତ୍ନଭଣ୍ଡାର କାନ୍ଥର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । କିଛି ସ୍ଥାନରେ କାନ୍ଥ ପ୍ଲାଷ୍ଟର୍ ଦୁର୍ବଳ ହୋଇ ଖସି ଅଲଗା ହୋଇଗଲାଣି । କାନ୍ଥକୁ ଢିରା ଦେଇ ରହିଥିବା କେତେକ ଲୁହା ବିମ୍ ଖସିଯାଇଛି । ଛାତରୁ ପଥର ଖସି ତଳେ ଚାରିଆଡ଼େ ବିକ୍ଷିପ୍ତ ହୋଇ ପଡ଼ିରହିଛି । ପାଣି ଗଳୁଥିବାରୁ କାନ୍ଥ ଓଦା ରହୁଛି ।୨୦୧୮ ମସିହାରେ ବିଶେଷଜ୍ଞ କମିଟି ଦ୍ୱାରା ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ୍ ପରେ ଏଭଳି ତଥ୍ୟ ମିଳିଥିଲା । ରତ୍ନଭଣ୍ଡାରର ଏଭଳି ସ୍ଥିତି ସଂକ୍ରାନ୍ତରେ ସୋମବାର ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି । ଏହି ଯାଞ୍ଚ ରିପୋର୍ଟକୁ ଅଧାର କରି ଜଣାଇଛି, ରତ୍ନଭଣ୍ଡାର ମରାମତି ନିହାତି ଆବଶ୍ୟକ । ହେଲେ ଏ ଯାଏ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ସରକାର ଅନୁମତି ଦେଇ ନାହାନ୍ତି ବୋଲି ଏଏସ୍ଆଇ ଦର୍ଶାଇଛି।
ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣନା ଏବଂ ରତ୍ନଭଣ୍ଡାର ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଏହି ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏଏସ୍ଆଇ ପକ୍ଷରୁ ସୋମବାର ସତ୍ୟପାଠ ଦାଖଲ କରିଛି । ମାମଲାର ବିଚାର କରୁଥିବା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୨୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ୟ୍ୟ କରିଛନ୍ତି ।
Powered by Froala Editor