ସୁବ୍ରତ ବାଗ୍ଚୀ ଇନ୍ଷ୍ଟିଚ୍ୟୁଶନାଲ କାପାସିଟି ବିଲ୍ଡିଂର ମୁଖ୍ୟ ପରାମର୍ଶଦାତା ନିଯୁକ୍ତ
ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗ୍ଚୀଙ୍କୁ ନୂଆ ଦାୟିତ୍ବ ସହ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି। ବାଗ୍ଚୀଙ୍କୁ ରାଜ୍ୟ ସରକାରଙ୍କ ଅନୁଷ୍ଠାନ ଦକ୍ଷତା ବୃଦ୍ଧି(ଇନ୍ଷ୍ଟିଚ୍ୟୁଶନାଲ କାପାସିଟି ବିଲ୍ଡିଂ)ର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ନୂତନ ଭୂମିକାରେ ସେ ସିଭିଲ ସର୍ଭିସ ଟ୍ରେନିଂ ଇନଷ୍ଟିଚ୍ୟୁସନ ପାଇଁ ଏକ ଭବିଷ୍ୟ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ । ରାଜ୍ୟର ଉଭୟ ପ୍ରବେଶ ସ୍ତରୀୟ ଏବଂ ସେବାରତ ପ୍ରଶାସନିକ ଅଧିକାରୀଙ୍କ ପାଇଁ ନେତୃତ୍ୱ କ୍ଷମତା ନିର୍ମାଣ ପାଇଁ ସେ ଏହି ଅନୁଷ୍ଠାନ ଗୁଡ଼ିକୁ ଏକ ଦିଶା ପ୍ରଦାନ କରିବେ।
ଅନୁଷ୍ଠାନଗୁଡ଼ିକର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ ଏହାକୁ ବିଶ୍ୱସ୍ତରୀୟ କରିବା ଦିଗରେ କାର୍ଯ୍ୟ କରିବେ। ସେ ଏହି ଅନୁଷ୍ଠାନଗୁଡ଼ିକ ଜରିଆରେ ଉଭୟ ପ୍ରଶାସନିକ ସେବାକୁ ଆସୁଥିବା ପ୍ରାର୍ଥୀ ଓ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ଦିଗରେ ମାର୍ଗଦର୍ଶନ କରିବେ।
ଉଲ୍ଲେଖଯୋଗ୍ୟ ବାଗ୍ଚୀ ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଓଡ଼ିଶା ଦକ୍ଷତା ବିକାଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ୨୦୨୩ ଜୁନ୍ ୩୦ ତାରିଖରେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ।
Powered by Froala Editor