ଆତ୍ମସମ୍ମାନ ବିରୋଧରେ କାମ କରିପାରିବି ନାହିଁ : ଜଷ୍ଟିସ୍ ରୋହିତ ବି. ଦେଓ
ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ଜଷ୍ଟିସ ରୋହିତ ବି. ଦେଓ । ଆତ୍ମସମ୍ମାନ ବିରୋଧରେ ସେ କାମ କରିପାରିବେ ନାହିଁ ବୋଲି କହିଛନ୍ତି । ଏହା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର କୋର୍ଟ ପରିସରରେ ଏହି ଘୋଷଣା କରିଛନ୍ତି ଜଷ୍ଟିସ ଦେଓ। ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ଜଷ୍ଟିସ ଦେଓ କହିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ସେ ବିଦାୟ ନେଇଛନ୍ତି ଏବଂ ତାଙ୍କ ଇସ୍ତଫା ପତ୍ର ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି।
ଏଥିସହ ସେ ଯଦି ତାଙ୍କ ନିଷ୍ପତ୍ତି ଦ୍ବାରା କାହାକୁ ଆଘାତ ପହଞ୍ଚାଇଥାନ୍ତି ସେଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ସେ ତାଙ୍କ ଇସ୍ତଫା ପଛର କାରଣ ଦର୍ଶାଇ ନାହାନ୍ତି । ବ୍ୟକ୍ତିଗତ କାରଣରୁ ସେ ଏହି ପଦ ଛାଡିଛନ୍ତି ବୋଲି କହିଛନ୍ତି । ଜଷ୍ଟିସ୍ ଦେବଙ୍କୁ ଜୁନ୍ 2017ରେ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ଡିସେମ୍ବର 2025ରେ ଅବସର ନେଇଥାନ୍ତେ । ବିଚାରପତି ହେବା ପୂର୍ବରୁ ସେ ଆଡଭୋକେଟ୍ ଜେନେରାଲ୍ ଥିଲେ।
ସୂଚନାଯୋଗ୍ୟ, ୨୦୨୨ ମସିହାରେ ଜଷ୍ଟିସ୍ ଦେଓ ମାଓବାଦୀ ଲିଙ୍କ ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ୍ ସାଇବାବାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ନେଇ ରାୟ ଶୁଣାଇଥିଲେ । ପରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖି ହାଇକୋର୍ଟର ନାଗପୁର ବେଞ୍ଚକୁ ଏହି ମାମଲାର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor