ନାବାଳିକାକୁ ଦୁଷ୍କର୍ମ ପରେ ଚୁଲାରେ ଜାଲିଦେଲେ, ୩ ଗିରଫ
ରାଜସ୍ଥାନରେ ଭିଲଓ୍ବାରାରେ ନାବାଳିକାକୁ ଗଣଦୁଷ୍କର୍ମ ପରେ କୋଇଲା ଚୁଲାରେ ଜାଲିଦେଲେ ଦୁର୍ବୃତ୍ତ । ନରସିଂହପୁରର ଗ୍ରାମରୁ ନିଖୋଜ ନାବାଳିକାଙ୍କ ମୃତଦେହ ତିନି କିଲୋମିଟର ଦୂରରେ ଥିବା ଏକ ଇଟା ଭାଟିରୁ ମିଳିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।
ଗତକାଲି ନାବାଳିକା ତାଙ୍କ ମାଆଙ୍କ ସହ ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନାବାଳିକା ମାଆଙ୍କଠାରୁ ଅଲଗା ହୋଇଯାଇଥିଲେ । ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ହେଲେ ଝିଅଟିର କୌଣସି ସନ୍ଧାନ ମିଳିନଥିଲା । ପରେ ଝିଅର ଭାଇ କାମରୁ ଫେରିବା ପରେ ଭଉଣୀକୁ ଖୋଜାଖୋଜି କରିଥିଲେ । ସେଦିନ ପ୍ରାୟ ରାତି ୧୦ଟା ସମୟରେ କୋଲ୍ ଫର୍ଣ୍ଣେସ ଅଞ୍ଚଳରେ ପରିବାର ଲୋକ ଖୋଜାଖୋଜି କରିଥିଲେ । ସେଠାରେ ଏକ ଚୁଲାରେ ଏକ ଛୋଟ ପିଲାର ମୃତଦହ ଦେଖିବାକୁ ପାଇଥିଲେ । ଜୋତା ଓ ନାବାଳିକା ପିନ୍ଧିଥିବା ରୂପା କଡ଼ାରୁ ମୃତଦେହ ଚିହ୍ନଟ ହୋଇଛି । ନାବାଳିକାର ପରିବାର ଲୋକ ଝିଅକୁ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ।
ପୋଲିସ ଏ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଡ଼ିଯାଇଥିବା ମୃତଦେହରୁ ହାଡ଼ଗୁଡ଼ିକୁ ଉଦ୍ଧାର କରି ପରୀକ୍ଷା ପାଇଁ ପଠାଇଥିଲା । ପରେ ଘଟଣାକୁ ନେଇ ତଦନ୍ତ କରିବା ସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
Powered by Froala Editor