୧୦୦ ବର୍ଷ ପରେ ମରିୟମ୍ମନ ଠାକୁରଙ୍କ ଦର୍ଶନ କଲେ ଦଳିତ ପରିବାର
ଏକବିଂଶ ଶତାବ୍ଦୀରେ ବି ଏମିତି କିଛି ମନ୍ଦିର ରହିଛି ଯେଉଁଠି ଦଳିତଙ୍କୁ ଅଛୁଆ ବୋଲି ପଶିବାକୁ ଦିଆଯାଏନାହିଁ । ସେଭଳି ଏକ ମନ୍ଦିର ହେଲା ତାମିଲନାଡୁର ତିରୁଭାନ୍ନାମଲାଇ ଜିଲ୍ଲା ଚେଲାଙ୍ଗୁପ୍ପାମ ଗ୍ରାମର ମରିୟମ୍ମନ ମନ୍ଦିର । କିନ୍ତୁ ଏହି ମନ୍ଦିରରେ ଏବେ କିଛି ନିୟମ ପରିବର୍ତ୍ତନ କରାଯାଇଛି । ଯେଉଁଥିପାଇଁ ୧୦୦ ବର୍ଷ ପରେ ମନ୍ଦିରେ ଭିତରେ ପାଦ ଥୋଇଛନ୍ତି ଦଳିତ ।
ଜୁଲାଇ ମାସରୁ ମନ୍ଦିର ଭିତରକୁ ପ୍ରବେଶକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଦୁଇ ଯୁବକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାକୁ ନେଇ ଦଳିତ ଓ ଭାନିଆର ସମ୍ପ୍ରଦାୟ ମଧ୍ୟରେ ଲଢ଼େଇ ହୋଇଥିଲା। ଜଣେ ଦଳିତ ଏବଂ ଜଣେ ବନିୟାର ସେହି ଗାଁର ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଏବଂ ପରେ ଚାକିରି ପାଇଁ ଚେନ୍ନାଇ ଚାଲି ଯାଇଥିଲେ। ଦଳିତ ଯୁବକମାନେ ଦଳିତଙ୍କ ମନ୍ଦିର ପ୍ରବେଶ ଅଧିକାରକୁ ନେଇ ସୋସିଆଲ ମିଡିଆରେ ବିତର୍କ କରିଥିଲେ ଏବଂ ଯେତେବେଳେ ସେମାନେ ଗାଁରେ ଭେଟିଥିଲେ, ଏ ନେଇ ଦାବି କରିଥିଲେ । ସେତେବେଳେ ସେମାନଙ୍କୁ ମାଡ଼ ମରାଯାଇଥିଲା ।
ଏହାପରେ ଦଳିତମାନେ ଜିଲ୍ଲା ରାଜସ୍ୱ ଓ ପୁଲିସ ଅଧିକାରୀଙ୍କ ନିକଟରେ ଆବେଦନ କରି ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ସେମାନେ ବୁଧବାର ମନ୍ଦିର ଭିତରକୁ ପ୍ରବେଶ କରିବେ ବୋଲି ଘୋଷଣା କରିବା ପରେ ଡିଆଇଜି (ଭେଲୋର ରେଞ୍ଜ) ଏମ୍.ଏସ୍. ମୁଥୁସାମିଙ୍କ ନେତୃତ୍ୱରେ ଏକ ବଡ଼ ପୁଲିସ ଫୋର୍ସ ଗାଁରେ ମୁତୟନ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ଲୋକେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏଠାରେ ଅନେକ ଦଳିତ ପରିବାର ପ୍ରଥମ ଥର ପାଇଁ ମନ୍ଦିରକୁ ପ୍ରବେଶ କରିଛନ୍ତି।
Powered by Froala Editor