୪ ହଜାର ଟଙ୍କା ବଢିଲା ହରିଶ୍ଚନ୍ଦ୍ର ସହାୟତା ରାଶି
ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହ ନିମନ୍ତେ ଦିଆଯାଉଥିବା ହରିଶ୍ଚନ୍ଦ୍ର ସହାୟତା ରାଶି ବୃଦ୍ଧି କରାଯାଇଛି। ପୂର୍ବରୁ ଏଠାରେ ହରିଶ୍ଚନ୍ଦ୍ର ସହାୟତା ରାଶି ୩ ହଜାର ଟଙ୍କା ଦିଆଯାଉଥିବା ବେଳେ ସହାୟତା ରାଶିକୁ ୪ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ଜଣେ ହିତାଧିକାରୀ ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତାରେ ଦାହ କାର୍ଯ୍ୟ ପାଇଁ ଦେଢ଼ କ୍ୟୁଣ୍ଟାଲ କାଠ ପାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ୧ କ୍ୟୁଣ୍ଟାଲ ୮୦ କେଜିକୁ ବୃଦ୍ଧି କରାଯାଇଛି। ସେହିପରି ପଥଶ୍ରାଦ୍ଧ ସାମଗ୍ରୀ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଛି। ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ବୃଦ୍ଧି କରି ୨୦୦ଗ୍ରାମରୁ ୩୦୦ ଗ୍ରାମ କରାଯାଇଛି। ଶବ ସଂସ୍କାର କରିବାକୁ ଆସୁଥିବା ବ୍ୟକ୍ତି କାଠ ବୋହି ନେବା ପାଇଁ ପୂର୍ବରୁ କେବଳ ଟ୍ରଲି ସୁବିଧା ପାଉଥିଲେ, ଏବେ ୭ ଜଣ ପରିବହନ ସେବକ ମୁତୟନ କରାଯାଇଛି। ମୃତବ୍ୟକ୍ତିଙ୍କ ଦାହ ସଂସ୍କାର ସ୍ଥାନକୁ ଏହି ସେବକ ମାନେ ଟ୍ରଲି ସାହାଯ୍ୟରେ କାଠ ବୋହି ନେଇ ଥୋଇବେ।
ପୁରୀ ସ୍ଵର୍ଗଦ୍ଵାରକୁ ଦାହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଶୋଷଣ ମୁକ୍ତ ଓ ବାଧା ରହିତ ବ୍ୟବସ୍ଥା ଦେବା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ଏହି ପଦକ୍ଷେପ ନେଇଛି। ଏନେଇ ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।
Powered by Froala Editor