ତ୍ରିରଙ୍ଗା ପତାକାକୁ ଅପମାନ, ୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ
ପାଲାମୁ: ଝଡ଼ଖଣ୍ଡ ପାଲାମୁ ଜିଲ୍ଲାରେ ମହରମ ଶୋଭାଯାତ୍ରା ସମୟରେ ତ୍ରିରଙ୍ଗା ପାତାକକୁ ଅସମ୍ମାନିତ କରାଯାଇଛି। ଏହି ଘଟଣାରେ ପୁଲିସ ୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ରାଞ୍ଚି ଠାରୁ ୧୭୫ କିମି ଦୂର ଚୈନପୁର ଥାନା ଅଧୀନରେ ଏଭଳି ଘଟଣା ଘଟିଛି।
ଶୁକ୍ରବାର ସନ୍ଧ୍ୟାରେ ଶାହପୁର, କଲ୍ୟାଣପୁର, ଏବଂ କାଙ୍କରୀରେ ମହରମ ଶୋଭାଯାତ୍ରା ଯାଇଥିଲା। ଏହି ସମୟରେ କିଛି ଉଗ୍ର ମାନସିକତାର ଦୁର୍ବୃତ୍ତ ତ୍ରିରଙ୍ଗା ପତାକାର ଅପମାନ କରିଥିଲେ। ଶୋଭାଯାତ୍ରା ସମୟରେ ଡିଜେ ବାଜିଥିଲା। ଏହି ସମୟରେ ତ୍ରିରଙ୍ଗାର ଅପମାନ ହେବା ଭିଡିଓ ସାମ୍ନାକୁ ଆସିଥିଲା ବୋଲି ଏଏସ୍ପି ରିଶବ ଗର୍ଗ କହିଛନ୍ତି।
ତେବେ ଜାତୀୟ ପତାକାରେ ରଙ୍ଗ ସମାନ ଥିବା ବେଳେ ଅଶୋକ ଚକ୍ର ନଥିଲା। ଅଶୋକ ଚକ୍ର ସ୍ଥାନରେ ଉର୍ଦ୍ଦୁରେ କିଛି ଲେଖା ରହିଥିବା ସହିତ ତଳେ ଖଣ୍ଡା ଚିହ୍ନ ଥିଲା। ଏହି ଘଟଣାରେ ରାଷ୍ଟ୍ରୀୟ ସମ୍ମାନ ହାନୀ ଆଇନରେ ୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୧୩ ଜଣଙ୍କ ନାଁ ଜଣାପଡ଼ିଛି ବୋଲି ଶ୍ରୀ ଗର୍ଗ କହିଛନ୍ତି।
Powered by Froala Editor