୨୧ ବର୍ଷ ପରେ ରାୟ : ଉମା ବିଷୋୟୀ ହତ୍ୟା ମାମଲାରେ ପୂର୍ବତନ ନଗରପାଳଙ୍କୁ ଆଜୀବନ ଜେଲ୍

ବହୁଚର୍ଚ୍ଚିତ ଉମାଚରଣ ବିଷୋୟୀ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଅପରାଧର ଠିକ୍ ୨୧ ବର୍ଷ ପରେ ଆସିକା ଏଡିଜେ କୋର୍ଟ ବିଚାରପତି ପ୍ରବୀର କୁମାର ଚୌଧୁରୀ ମାମଲାର ବିଚାର କରି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଏଡିଜେ ଦୋଷୀ ତଥା ଆସିକାର ପୂର୍ବତନ ନଗରପାଳ ସୂର୍ଯ୍ୟନାରାୟଣ ପୋଲାଇଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ମାମଲାର ଅନ୍ୟ ଚାରିଜଣ ଅଭିଯୁକ୍ତ ଅମୂଲ୍ୟ ପଣ୍ଡା, ଗଙ୍ଗାଧର ପ୍ରଧାନ, କୈଳାସ ରାଉତ ଓ ସନ୍ତୋଷ ଗୌଡ଼ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
୨୦୦୨ ମସିହା ଜୁଲାଇ ୨୬ ତାରିଖରେ ଉମାଙ୍କୁ ଅଭିଯୁକ୍ତ ସୂର୍ଯ୍ୟ ତାଙ୍କୁ ଘରୁ ଡାକି ନେଇଥିଲେ। ସହର ଉପକଣ୍ଠ ଚାରିମଇଲି ଛକ ଗଡ଼ଗଡ଼ିଆ ପାହାଡ଼ ତଳେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏ ନେଇ ଉମାଙ୍କ ପତ୍ନୀ ରୁନୁ ବିଷୋୟୀ ଆସିକା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଠିକ୍ ୨୧ ବର୍ଷ ପରେ ଏହାର ଚୂଡ଼ାନ୍ତ ରାୟ ଆସିଛି। ଚାରିଜଣ ତତ୍କାଳୀନ ତଦନ୍ତକାରୀ ଅଧିକାରୀଙ୍କ ସମେତ ମୋଟ ୩୨ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ବିଚାରରେ ନେଇ ବିଚାରପତି ଅଭିଯୁକ୍ତ ସୂର୍ଯ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
Powered by Froala Editor