ଟମାଟୋ ବିକି ମାସକରେ କୋଟିପତି ହେଲେ ତେଲେଙ୍ଗାନା ଚାଷୀ
ଅର୍ଥାଭାବରୁ ପାଠ ପଢ଼ିପାରିଲେନି। ଦଶମ ଶ୍ରେଣୀରେ ଫେଲ୍ ହୋଇଗଲେ। ପୁନର୍ବାର ଚେଷ୍ଟା ନକରି ଅଧାରୁ ପାଠପଢ଼ା ଛାଡ଼ିଦେଲେ ତେଲେଙ୍ଗାନାର ବି ମହିପାଲ୍ ରେଡ୍ଡି। ପଢ଼ା ଛାଡ଼ି ସେ ଚାଷ କଲେ। ପ୍ରଥମେ ଚାଷରୁ ବି ବିଶେଷ ଲାଭ ହେଉନଥିଲା। କିନ୍ତୁ ମହିପାଲ୍ ରେଡ୍ଡି ପରିଶ୍ରମ ଜାରି ରଖିଲେ। ଶେଷରେ ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଛି। ଟମାଟୋ ଚାଷ କରି ମାହିପାଲ୍ ରେଡ୍ଡି ଏବେ ମାସକରେ କୋଟିପତି ହୋଇଯାଇଛନ୍ତି।
ଜୁନ୍ ୧୫ରୁ ଏଯାବତ୍ ମହିପାଲ୍ ରେଡ୍ଡି ଟମାଟୋ ବିକି ୧.୮ କୋଟି ରୋଜଗାର କଲେଣି। ୪୦ ବର୍ଷୀୟ ମହିପାଲ ରେଡ୍ଡି ହେଉଛନ୍ତି ମେଡକ ଜିଲ୍ଲା ଅନ୍ତର୍ଗତ କୋଡିପାଲ୍ଲି ଗ୍ରାମର ବାସିନ୍ଦା। ମହିପାଲ ଚଳିତ ବର୍ଷ ଏପ୍ରିଲ ୧୫ରୁ ତାଙ୍କ ୮ ଏକର ଜମିରେ ଟମାଟୋ ଲଗାଇବା ଆରମ୍ଭ କଲେ। ଜୁନ୍ ୧୫ ବେଳକୁ ସେ ଟମାଟୋ ଅମଳ କଲେ। ବଳ ବର୍ଷା ଯୋଗୁ ମହିପାଲଙ୍କର କିଛି ଫସଲ ନଷ୍ଟ ହୋଇଥିଲେ ସୁଦ୍ଧା ସେ ତାଙ୍କ ଫସଲକୁ ସୁରକ୍ଷା ଦେବା ପାଇଁ ସ୍ବତନ୍ତ୍ର ଘୋଡ଼ାଇବା ବ୍ୟବସ୍ଥା କରିଥିବାରୁ ବିଶେଷ କ୍ଷତି ସହିବାକୁ ପଡ଼ିଲାନି।
ତାଙ୍କ ରୋଜଗାର ଚଳିତ ଋତୁରେ ୨ କୋଟି ଟପିଯିବ। ଏବେ ସୁଦ୍ଧା ସେ ୧.୮ କୋଟି ଟଙ୍କାର ଟମାଟୋ ବିକ୍ରି କରି ସାରିଛନ୍ତି। ଏବେ ବି ତାଙ୍କ ଜମିରେ ଆହୁରି ୪୦ ପ୍ରତିଶତ ଟମାଟୋ ଅଛି। ଟମାଟୋ ଚାଷ କରିବାରେ ସେ ପ୍ରତି ଏକର ପିଛା ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
Powered by Froala Editor