IRCTC ୱେବସାଇଟରେ ବୁକିଂ ପୁଣି ଆରମ୍ଭ
ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ୱେବସାଇଟ ବାଧାପ୍ରାପ୍ତ ହୋଇଥିଲା । ଏଥିସହ IRCTC ର ଆପ୍ ମଧ୍ୟ ଡାଉନ ହୋଇଥିଲା ଏହି ୱେବସାଇଟ ଖୋଲିଲେ ମେଣ୍ଟେନାନ୍ସ ପାଇଁ ସାଇଟର ସେବା ବନ୍ଦ ରହିଥିବା ଲେଖା ଆସୁଥିଲା। ଫଳରେ ଇ-ଟିକଟ୍ ସେବା ମଧ୍ୟ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା। ଏହା ପୂର୍ବରୁ ମେ ୬ରେ ମଧ୍ୟ IRCTC ର ସେବା ସକାଳ ପ୍ରାୟ ୧୦ ଟା ସମୟରେ ଠପ ହୋଇଯାଇଥିଲା। ଉପଭୋକ୍ତାମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ପୁଣି ମଙ୍ଗଳବାର ସକାଳୁ ଏହି ସେବା ବାଧାପ୍ରାପ୍ତ ହୋଇଥିଲା ।
ଟିକେଟ ବାତିଲ୍ ଓ TDR ଫାଇଲ୍ ପାଇଁ ଫୋନ ନମ୍ବର ଓ ଇମେଲ ଜାରି କରାଯାଇଥିଲା। 14646, 0755-6610661 ଓ 0755-4090600 ନମ୍ବରକୁ କଲ କରି ଯାତ୍ରୀମାନେ ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଏତଦ ବ୍ୟତୀତ etickets@irctc.co.in ରେ ମେଲ କରି ମଧ୍ୟ ଅଭିଯୋଗ କରି ପାରିବେ ବୋଲି ସୂଚନା ଦିଆଯାଇଥିଲା ।
କିନ୍ତୁ ଏବେ ମିଳିଥିବା ସୂଚନା ଅନୁସାରେ ଆପରେ ଥିବା ଅଚଳାବସ୍ଥା ଦୂର ହୋଇଛି ଓ ଟିକେଟ ବୁକିଂ ସ୍ବାଭାବିକ ହୋଇଛି । ଯାତ୍ରୀମାନେ ଆଇଆରସିଟିସି ମୋବାଇଲ ଆପ ଏବଂ ୱେବସାଇଟରୁ ଅନଲାଇନରେ ଟିକେଟ ବୁକ୍ କରିପାରିବେ । ରେଳବାଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି ।