ଏହି ରେସ୍ତୋରାଁରେ ଅଛି ଭୋଜନ ପରେ ଶୟନ ବ୍ୟବସ୍ଥା
![ଏହି ରେସ୍ତୋରାଁରେ ଅଛି ଭୋଜନ ପରେ ଶୟନ ବ୍ୟବସ୍ଥା](https://odishanewslens.com/news_gallery/23068_1690176355.jpg)
ଜୋର୍ଡାନର ଏକ ଭୋଜନାଳୟ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅଭିନବ କଥା ଘୋଷଣା କରିଛି। ସେଠାରେ ‘ମନ୍ସାଫ୍’ ନାମକ ଜାତୀୟ ବ୍ୟଞ୍ଜନ ଯିଏ ବରାଦ କରିବ, ତାଙ୍କ ପାଇଁ ଖାଇବା ପରେ ଶୀତତାପ ନିୟନ୍ତ୍ରିତ କକ୍ଷରେ କିଛି ସମୟ ଶୋଇବାର ବ୍ୟବସ୍ଥା କରାଯାଇଛି। ଭୋଜନାଳୟରେ ଶୋଇବା ପାଇଁ ଖଟ ପକାଇବା ଯୋଜନାକୁ ପ୍ରଥମେ କେହି କେହି ହାସ୍ୟାସ୍ପଦ ବୋଲି ଭାବୁଥିବା ବେଳେ ‘ମନ୍ସାଫ’ ପରି ଉଚ୍ଚ ଚର୍ବିଳ ଖାଦ୍ୟ ଖାଇବା ପରେ ଗ୍ରାହକଙ୍କ ଆଳସ୍ୟ ହାଲକା କରିବା ଲାଗି ଏହା ସର୍ବୋତ୍କୃଷ୍ଟ ଉପାୟ ବୋଲି ଏହାର ମାଲିକ କହିଛନ୍ତି।
ପ୍ରକୃତରେ ସେଠାରେ ବିଶେଷ କରି ‘ମନ୍ସାଫ୍’ ଖାଇଲା ପରେ କିଛି ଗ୍ରାହକଙ୍କୁ ନିଦ ଲାଗୁଥିବା କଥା ଜଣାପଡ଼ିଥିଲା। କାରଣ ଭାତ, ଘିଅ ଓ ମେଣ୍ଢାମାଂସ ସମ୍ବଳିତ ଏହି ଖାଦ୍ୟରେ ରହୁଥିବା ଉପାଦାନଗୁଡ଼ିକ କ୍ଳାନ୍ତି ଦୂର କରିବା ସହ ନିଦ ଜାଗ୍ରତ କରିଥାଏ। ତେଣୁ ଗ୍ରାହକମାନେ ଖାଇବା ସାରି ତୁରନ୍ତ ଗାଡ଼ି ଚଳାଇ ସେଠାରୁ ଫେରିବା ଅପେକ୍ଷା କିଛି ସମୟ ସେଠାରେ ବିଶ୍ରାମ କରିବାକୁ ପସନ୍ଦ କରିଥିଲେ। ତେଣୁ ସେମାନଙ୍କ ଅନୁରୋଧ କ୍ରମେ ହିଁ ଏକ ସ୍ବତନ୍ତ୍ର କକ୍ଷରେ ଏପରି ଶୟନ ବ୍ୟବସ୍ଥା କରାଯାଇଛି ଏବଂ ତାହା ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି ବୋଲି ଭୋଜନାଳୟର ମାଲିକ କହିଛନ୍ତି।
Powered by Froala Editor