୬ ମାସର ଶିଶୁ ସହ ପୂରା ପରିବାରକୁ ଜାଳିଦେଲେ
ରାଜସ୍ଥାନର ଯୋଧପୁରରେ କିଛି ଦୁର୍ବୃତ୍ତ ଏକ ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରି ନିଆଁ ଲଗାଇ ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୬ ମାସର ଶିଶୁ କନ୍ୟା ବି ଥିବା ଜଣାଯାଇଛି। ଏପରି ଲୋମଟାଙ୍କୁରା ହତ୍ୟା ଘଟଣା ଯୋଧପୁରର ଓସିୟା ଅଞ୍ଚଳର ଚେରାଇ ଗାଁରେ ଘଟିଛି। ମୃତକମାନେ ହେଲେ ୫୫ ବର୍ଷୀୟ ପୁନରାମ, ତାଙ୍କ ପତ୍ନୀ ୫୦ ବର୍ଷୀୟ ବନୱାରୀ, ବୋହୂ ୨୪ ବର୍ଷୀୟା ଧାପୁ ଓ ୬ ମାସର ନାତୁଣୀ ।
ପୁନରାମ ଘର ବାହାରେ ପଡ଼ିଥିବା ଖଟରେ ଶୋଇଥିଲେ। ବିଳମ୍ବିତ ରାତି ପ୍ରାୟ ୩ଟା ପରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେମାନେ ଘର ଭିତରକୁ ଯାଇ ଶାଶୂ, ବୋହୂ ଓ ଶିଶୁଟିକୁ ନିର୍ମମ ଭାବେ ହତ୍ୟା କରିଥିଲେ। ୪ ମୃତଦେହକୁ ଘର ଅଗଣାରେ ନିଆଁ ଲଗାଇ ଦେଇଥିଲେ। ପୁନରାମଙ୍କ ଘରୁ ଧୂଆଁ ଉଠୁଥିବା ଦେଖି ଗାଁ ଲୋକେ ଦୌଡ଼ିଥିଲେ। ମାତ୍ର ଘର ଅଗଣାରେ ପରିବାରର ୪ ସଦସ୍ୟଙ୍କ ପୋଡ଼ା ମୃତଦେହ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ପିଲାଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଅନ୍ୟମାନଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ିଥିଲା।
ମୃତକଙ୍କ ପରିବାର ଚାଷବାସ କରି ପରିବାର ଚଳାନ୍ତି। ତେବେ ସେମାନଙ୍କର କାହା ସହ ପୂର୍ବ ଶତ୍ରୁତା ଥିବା ଜଣାପଡ଼ିନି।
Powered by Froala Editor