ପାଞ୍ଚ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ବେଙ୍ଗାଳୁରୁ: ସେଣ୍ଟ୍ରେଲ୍ କ୍ରାଇମ୍ ବ୍ରାଞ୍ଚକୁ ବଡ଼ ସଫଳତା । ବେଙ୍ଗାଳୁରୁରୁ ପାଞ୍ଚ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ । ଦେଶଦ୍ରୋହ ଗତବିଧିରେ ସାମିଲ ଥିବା ସନ୍ଦେହରେ ସିସିବି ଏମାନଙ୍କୁ ଗିରଫ କରିଛି । ସେଣ୍ଟ୍ରେଲ୍ କ୍ରାଇମ୍ ବ୍ରାଞ୍ଚ ଏବଂ ଗୁଇନ୍ଦା ବିଭାଗର ମିଳିତ ଅପରେସନରେ ପାଞ୍ଚ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏମାନଙ୍କ ପାଖରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରାଯାଇଛି ।
ଗିରଫ ହୋଇଥିଲା ସନ୍ଦିଗ୍ଧ ଆତଙ୍କୀମାନେ ହେଲେ ସୈୟଦ ସୋହେଲ, ଅମର, ଜାନିଦ୍, ମୁଦାସିର ଏବଂ ଜାହିଦ ବୋଲି ସିସିବି ଅଧିକାରୀ କହିଛନ୍ତି । ସୂଚନା ଅନୁଯାୟୀ, ଏମାନେ ସମସ୍ତ ବେଙ୍ଗାଳୁରୁରେ ବଡ଼ ହମଲା କରିବାର ଯୋଜନା କରିଥିଲେ । ୨୦୧୭ରେ ହୋଇଥିବା ଏକ ହତ୍ୟା ମାମଲାରେ ସନ୍ଦିଗ୍ଧମାନେ ସାମିଲ ଥିଲେ । ସେହିପରି ପରପ୍ପାନା ଅଗ୍ରହରା ସେଣ୍ଟ୍ରାଲ୍ ଜେଲ ରହିବା ସମୟରେ ଆତଙ୍କବାଦୀଙ୍କ ଲିଙ୍କରେ ଆସିଥିଲେ ।
ସେଣ୍ଟ୍ରାଲ କ୍ରାଇମ୍ ବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ମାରଣାସ୍ତ୍ର ଜବତ ହୋଇଛି । ୪ଟି ଓ୍ବାକି-ଟକି, ୭ଟି ଦେଶୀ ପିସ୍ତଲ, ୪୨ଟି ଅଫୁଟା ଗୁଳି, ୨ଟି ଖଞ୍ଜର, ଦୁଇଟି ସାଟେଲାଇଟ୍ ଫୋନ ଏବଂ ୪ଟି ଗ୍ରେନେଡ୍ ଜବତ୍ କରିଛି ଜଏଣ୍ଟ ଅପରେସନ ଟିମ୍ ।ସିସିବି ଅଧିକାରୀଙ୍କ ସୂଚନା ମୁତାବକ, ପାଞ୍ଚ ଆତଙ୍କବାଦୀ ବେଙ୍ଗାଳୁରୁର ବିଭିନ୍ନ ଅଞ୍ଚଳରେ ରହୁଥିଲେ । ସହରର ଜନଗହଳି ଅଞ୍ଚଳରେ ବ୍ଲାଷ୍ଟ କରିବାର ଯୋଜନା କରିଥିଲେ । ସନ୍ଦିଗ୍ଧ ମାନଙ୍କର ସୂଚନା ମିଳିବା ପରେ ସିସିବି ଟ୍ରାକ୍ କରି ୫ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କୁ ପଚରାଉଚରା କରୁଛି ।
Powered by Froala Editor