ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସକାଳୁ ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ବାହାରିଛନ୍ତି । ଆଜି ଅପରାହ୍ଣରେ ସେ ପ୍ୟାରିସରେ ପହଞ୍ଚିବେ।ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍ ମାକ୍ରୋନ୍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ପ୍ୟାରିସ ଗସ୍ତ କରିଛନ୍ତି । ଶୁକ୍ରବାର ବଷ୍ଟିଲ୍ ଡେ’ ପ୍ୟାରେଡରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବରେ ଯୋଗଦେବେ। ସେଠାରେ ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ତିନିଟି ଦଳ ଅଂଶଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନ୍ଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିବେ । ରାଷ୍ଟ୍ରପତି ମାକ୍ରୋନ୍ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ସରକାରୀ ଭୋଜି ସହିତ ଏକ ବ୍ୟକ୍ତିଗତ ନୈଶଭୋଜିର ମଧ୍ୟ ଆୟୋଜନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କ ସହିତ ସିନେଟ ଏବଂ ଫ୍ରାନ୍ସର ନେସନାଲ ଆସେମ୍ଳିର ସଭାପତିଙ୍କୁ ମଧ୍ୟ ଭେଟିବାର କାର୍ୟ୍ୟକ୍ରମ ରହିଛି । ସେ ଫ୍ରାନ୍ସରରେ ଥିବା ପ୍ରବାସୀ ଭାରତୀୟ, ଭାରତୀୟ ଏବଂ ଫରାସୀ କମ୍ପାନୀର ସିଇଓ ଏବଂ ଫ୍ରାନ୍ସର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ।ଚଳିତ ବର୍ଷ ଭାରତ – ଫ୍ରାନ୍ସ ରଣନୀତିକ ସହଯୋଗର ୨୫ ତମ ବାର୍ଷିକୀ ପାଳନ କରାଯାଉଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଭବିଷ୍ୟତ ପାଇଁ ରଣନୀତିକ, ସାଂସ୍କୃତିକ, ବୈଜ୍ଞାନିକ, ଶିକ୍ଷା ଏବଂ ଅର୍ଥନୈତିକ ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ସହଭାଗିତାର ରୂପରେଖ ପ୍ରସ୍ତୁତ କରିବାର ସୁଯୋଗ ପ୍ରଦାନ କରିବ।
ପରେ ପ୍ରଧାନମନ୍ତ୍ରୀ ଜୁଲାଇ ୧୫ରେ ଆବୁଧାବି ଗସ୍ତ କରିବେ ।
Powered by Froala Editor