ନାଟୋରେ ସ୍ୱିଡେନ୍ ସାମିଲ ପାଇଁ ରାସ୍ତା ସଫା, ସମର୍ଥନ କରିବ ତୁର୍କୀ

ନୂଆଦିଲ୍ଲୀ: ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ)ରେ ସ୍ୱିଡେନ୍ ସାମିଲ ହେବା ପାଇଁ ରାସ୍ତା ସଫା ହୋଇଯାଇଛି । ଶେଷରେ ତୁର୍କୀ ଏଥିପାଇଁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଛି । ନାଟୋରେ ସ୍ୱିଡେନ୍ ସାମିଲ ପାଇଁ ତୁର୍କୀର ସମର୍ଥନ ଜରୁରି ଥିଲା । କିନ୍ତୁ ଦୀର୍ଘଦିନ ଧରି ଏଥିଲାଗି ସମର୍ଥନ ମିଳୁ ନ ଥିଲା । ତୁର୍କୀ ଏଥିପାଇଁ ସର୍ତ୍ତ ରଖି କହୁଥିଲା ଯେ ୟୁରୋପୀୟ ସଂଘରେ ସାମିଲ ପାଇଁ ଏହାକୁ ଅନୁମୋଦନ ମିଳିବା ପରେ ଏହା ସ୍ୱିଡେନ୍କୁ ନାଟୋରେ ସାମିଲ ଲାଗି ମଞ୍ଜୁରି ଦେବ । ଏମିତି କି ରାଷ୍ଟ୍ରପତି ରିସେପ୍ ତାୟିପ୍ ଏର୍ଡୋଗାନ୍ ଭିଲ୍ନିଅସ୍ ଗସ୍ତ ପୂର୍ବରୁ ମଧ୍ୟ ସମାନ ଆଭିମୁଖ୍ୟ ପୋଷଣ କରିଥିଲେ । କିନ୍ତୁ ଲିଥୁଆନିଆ ରାଜଧାନୀ ଭିଲ୍ନିଅସ୍ରେ ଅନୁଷ୍ଠିତ ନାଟୋ ସମ୍ମିଳୀନରେ ଏର୍ଡୋଗାନ୍ ସବୁଜ ସଂକେତ ଦେଇଛନ୍ତି । ଏହାକୁ ନାଟୋ ମହାସଚିବ ଜେନ୍ସ ଷ୍ଟୋଲ୍ଟେନ୍ବର୍ଗ ଐତିହାସିକ ପଦକ୍ଷେପ ଦର୍ଶାଇଛନ୍ତି ।
ଟ୍ୱିଟ୍ କରି ଷ୍ଟୋଲ୍ଟେନ୍ବର୍ଗ କହିଛନ୍ତି, ଏର୍ଡୋଗାନ୍ ଏବଂ ସ୍ୱିଡେନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସଫଳ ହୋଇଛି । ତୁର୍କୀ ରାଷ୍ଟ୍ରପତି ନାଟୋରେ ସ୍ୱିଡେନ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେବାକୁ ରାଜି ହୋଇଛନ୍ତି । ଏହି ଐତିହାସିକ ପଦକ୍ଷେପ ଦ୍ୱାରା ସମସ୍ତ ନାଟୋ ସହଯୋଗୀ ଦେଶ ଆହୁରି ମଜଭୁତ ଓ ସୁରକ୍ଷିତ ହେବ ।
Powered by Froala Editor