ପରୀକ୍ଷାର୍ଥୀଙ୍କ ପାଇଁ ୬ ମାସର ପୁଅକୁ କୋଳେଇନେଲେ କନେଷ୍ଟବଳ

ମା’ର ମମତା ଆଗରେ ସବୁ ଫିକା । ହେଲେ ଜଣେ ମହିଳା କନେଷ୍ଟବଳଙ୍କ ମମତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୁଜରାଟର ଏହି କନଷ୍ଟେବଲଙ୍କ ନାଁ ଦୟାବେନ୍।
ଗତ ରବିବାର ଗୁଜରାଟ ହାଇକୋର୍ଟରେ ପିଅନ ପଦବୀ ପୂରଣ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ପାଇଁ ଅହମଦାବାଦର ଓଧବର ଏକ କେନ୍ଦ୍ରରେ ଦୟାବେନ୍ଙ୍କ ଡ୍ୟୁଟି ପଡ଼ିଥିଲା। ସେ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିଲେ। ପରୀକ୍ଷା କେନ୍ଦ୍ରକୁ ଜଣେ ମହିଳା ତାଙ୍କ ୬ ମାସର ପୁଅକୁ ନେଇ ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ପରୀକ୍ଷା ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ଛୁଆଟି କାନ୍ଦିଥିଲା। ପରୀକ୍ଷା ସମୟ ପାଖେଇ ଆସୁଥିବା ବେଳେ ପୁଅର କାନ୍ଦ ବନ୍ଦ ହେଉ ନଥିବା ଦେଖି ମହିଳା ଜଣଙ୍କ ବ୍ୟସ୍ତ ହୋଇପଡ଼ିଥିଲେ। ଏହି ସମୟରେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ ଦୟାବେନ୍। ସେ ଛୁଆଟିକୁ ନିଜ ପାଖରେ ରଖିଥିଲେ। ଆଉ ତା’ ମା’ ପରୀକ୍ଷା ଦେବାକୁ ଯାଇଥିଲେ।
ଅହମଦାବାଦ ପୁଲିସ ପକ୍ଷରୁ ଫଟୋଗୁଡ଼ିକ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ସୋଶାଲ ମିଡିଆରେ ୟୁଜର ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।
Powered by Froala Editor