ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ
ନୂଆଦିଲ୍ଲୀ: ନେପାଳରେ ଆଜି ସକାଳେ ନିଖୋଜ ହୋଇଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଯାତ୍ରା କରୁଥିବା ୫ ଜଣ ମେକ୍ସିକୋ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେପାଳ ପୁଲିସ ସୂଚନା ଦେଇଛି। ଏବେ ମଧ୍ୟ ପାଇଲଟ ନିଖୋଜ ଥିବା ସୂଚନା ମିଳିଛି। ଏକ ନେପାଳୀ ଖବର ପ୍ରସାରଣ ସଂସ୍ଥା ପକ୍ଷରୁ ସାର୍ବଜନୀନ କରାଯାଇଥିବା ସୂଚନା ଅନୁଯାୟୀ, ଆଜି ସକାଳେ ନେପାଳର ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ମନାଙ୍ଗ ଏୟାରର ଏକ ହେଲିକପ୍ଟର ଯାତ୍ରା ଆରମ୍ଭ କରିଥିଲା।
ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଅର୍ଥାତ ସକାଳ ୧୦ଟା ୧୦ ମିନିଟ ସମୟରେ ହେଲିକପ୍ଟରର ରାଡ଼ାର ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ପରେ ସ୍ଥାନୀୟ ପୁଲିସ ଓ ଅନ୍ୟ କେତେକ ସଂସ୍ଥା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ତେବେ ପୁଲିସ ସୂଚନା ଅନୁଯାୟୀ, ସୋଲୁଖୁମ୍ବୁର ଲମଜୁରାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ସେଥିରେ ପାଇଲଟଙ୍କ ସମେତ ୬ ଜଣ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଠାବ କରିବା ଲାଗି ଖୋଜାଖୋଜି ଜୋରଦାର କରାଯାଇଛି।
Powered by Froala Editor