ଚୁକ୍ତିରୁ ଓହରିଲା ଫୋକ୍ସକନ୍ : ଭାରତ ସହ ମିଶି ତିଆରି କରିବନି ସେମି କଣ୍ଡକ୍ଟର ଚିପ୍ ତିଆରି ଉଦ୍ୟୋଗ
ବେଦାନ୍ତ ସହ ମିଶି ଭାରତରେ ୧୯.୫ ବିଲିୟମ ଡଲାର ବା ୧.୫ ଲକ୍ଷ କୋଟି ଟଙ୍କା ବିନିଯୋଗରେ ସେମି କଣ୍ଡକ୍ଟର ଚିପ୍ ତିଆରି ଉଦ୍ୟୋଗ ସ୍ଥାପନ ନିଷ୍ପତ୍ତିରୁ ଓହରି ଯାଇଛି ତାଇୱାନ୍ର ଫୋକ୍ସକନ୍ କମ୍ପାନୀ। ଫୋକ୍ସକନ୍ କହିଛି ଯେ ବର୍ତ୍ତମାନ ବେଦାନ୍ତର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଏହି ସଂସ୍ଥାରୁ ଫୋକ୍ସକନ୍ ନିଜ ନାମକୁ ହଟାଇବା ଦିଗରେ କାର୍ଯ୍ୟ କରୁଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ଚିପ୍ ମେକିଂ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ କରିଥିବା ଉଦ୍ୟମ ବାଟବଣା ହେବା ନେଇ ଅଲୋଚନା ଦେଖାଦେଇଛି।
ଫୋକ୍ସକନ୍ କମ୍ପାନୀ ଭାରତର ବେଦାନ୍ତ ମେଟାଲ-ଟୁ-ଆଏଲ କୋଙ୍ଗଲୋମେରାଟେ ସହ ମିଶି ଉଦ୍ୟୋଗ ପ୍ରତିଷ୍ଠା କରିବାର ଥିଲା। ଫୋକ୍ସକନ ଓ ବେଦାନ୍ତ ଗତ ବର୍ଷ ଏହି ସେମିକଣ୍ଡକ୍ଟର ଓ ଡିସ୍ପ୍ଲେ ଉଦ୍ୟୋଗ ଗୁଜୁରାଟରେ ସ୍ଥାପନ କରିବାକୁ ଚୁକ୍ତି କରିଥିଲେ। ଯେଉଁଥିରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବ ରଖାଯାଇଥିଲା।
ତେବେ, ସୋମବାର ଏକ ବିବୃତିରେ ଫୋକ୍ସକନ୍ କହିଛି, ଅଧିକ ବିକାଶ ସୁଯୋଗ ଖୋଜିବା ପାଇଁ ଫୋକ୍ସକନ୍ ନିଷ୍ପତ୍ତି ନେଇଛି ଯେ ସେ ବେଦାନ୍ତ ସହିତ ମିଳିତ ଉଦ୍ୟୋଗରେ ଆଉ ଆଗକୁ ବଢ଼ିବ ନାହିଁ। କମ୍ପାନୀ କହିଛି, ଭାରତର ମେକଇନ୍ ଇଣ୍ଡିଆ ଲକ୍ଷ୍ୟ ପ୍ରତି ତାହାର ସମର୍ଥନ ରହିଛି। ଏବେ ଆଗକୁ ଭାରତ ତାହାର ସ୍ଥାନୀୟ ଉଦ୍ୟୋଗପତିଙ୍କ ଜରିଆରେ ଏହି ଲକ୍ଷ୍ୟ ପୂରଣ କରିବ। ତେବେ କେଉଁ କାରଣରୁ ଏହି ଡିଲ୍ରୁ ଫୋକ୍ସକନ୍ ଓହରିଲା ତାହା ସ୍ପଷ୍ଟ କରିନି।
ବେଦାନ୍ତ କହିଛି, ଏହି ଡିଲ୍ ଭାଙ୍ଗିବା ପରେ ଆଗକୁ ଅନ୍ୟ କମ୍ପାନୀଙ୍କ ସହ ମିଶି ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଉଛି।
Powered by Froala Editor