ପ୍ରଥମ ଭାରତୀୟ ମହିଳା କ୍ରିକେଟର ଶ୍ରେୟଙ୍କା, ଖେଳିବେ କାରବିୟାନ୍ ପ୍ରିମିୟର୍ ଲିଗ୍
ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ କାରବିୟାନ୍ ପ୍ରିମିୟର୍ ଲିଗ୍ ଖେଳିବେ ୨୧ ବର୍ଷିୟା ଶ୍ରେୟଙ୍କା ପାଟିଲ୍ । ଗାଏନା ଆମାଜନ୍ ୱାରିୟର୍ସ ଦଳ ଶ୍ରେୟଙ୍କାଙ୍କୁ ନିଜ ଦଳରେ ସାମିଲ କରିଛି । ଏହି ଟି୨୦ ଲିଗ୍ର ଚଳିତ ବର୍ଷର ସଂସ୍କରଣ ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହେବ । ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଶ୍ରେୟଙ୍କା ପ୍ରଥମ ଭାରତୀୟ ମହିଳା ଖେଳାଳୀ ଭାବେ ୱେଷ୍ଟଇଣ୍ଡିଜ ଟି୨୦ ପ୍ରିମିୟର ଲିଗ୍ ଖେଳିବେ ।
ଗତ ମାସରେ ହଂକଂରେ ହୋଇଥିବା ଇମର୍ଜିଙ୍ଗ ଏସିଆ କପ୍ ଟୁର୍ଣ୍ଣମେଣ୍ଟରେ ଶ୍ରେୟଙ୍କା ଦମଦାର ପ୍ରଦର୍ଶନ କରିଥିଲେ । ୨ଟି ମ୍ୟାଚରେ ୭ ଓଭର ବୋଲିଂ କରିଥିବା ବେଳେ ୯ଟି ୱିକେଟ୍ ଅକ୍ତିଆର କରିଥିଲେ ଶ୍ରେୟଙ୍କା । ଫାଇନାଲ୍ ମ୍ୟାଚରେ ସେ ଏକାକୀ ୪ଟି ୱିକେଟ୍ ନେଇଥିଲେ । ଏଭଳି ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ କରାଯାଇଥିଲା ।
ତେବେ ଭାରତ ଆୟୋଜନ କରିଥିବା ପ୍ରଥମ ମହିଳା ପ୍ରିମିୟର ଲିଗ୍ରେ ଆର୍ସିବି ପାଇଁ ଖେଳିଥିଲେ ଶ୍ରେୟଙ୍କା । ଏଥିରେ ୭ଟି ମ୍ୟାଚରୁ ସେ କେବଳ ୬ଟି ୱିକେଟ୍ ନେବାରେ ସମର୍ଥ ହୋଇଥିଲେ । ତେବେ ମହିଳା କାରବିୟାନ୍ ପ୍ରିମିୟର ଲିଗ୍ ପାଇଁ ସେ ଗାଏନା ଆମାଜନ୍ ୱାରିୟର୍ସ ଦଳରେ ସାମିଲ ହୋଇଛନ୍ତି ।
ପୂର୍ବରୁ ଅନେକ ଭାରତୀୟ ମହିଳା କ୍ରିକେଟର ବିଦେଶରେ ଟି୨୦ ଲିଗ୍ ଖେଳିଛନ୍ତି । ଭାରତୀୟ ମହିଳା କ୍ରିକେଟ୍ ଟିମର ଅଧିନାୟକ ହରମନପ୍ରୀତ୍ କୌର, ଉପଅଧିନାୟକ ସ୍ମୃତି ମାନ୍ଧାନା, ଜୋମିମା ରୌଡ୍ରିଗ୍ସ, ଶେଫାଳୀ ବର୍ମା ଏବଂ ରିଚା ଘୋଷ ପ୍ରମୁଖଙ୍କ ସମେତ ଅନେକ ମହିଳା ଖେଳାଳୀ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ପୂର୍ବରୁ ଟି୨୦ ଲିଗ୍ ଖେଳିଛନ୍ତି । ହେଲେ କାରବିୟାନ୍ ପ୍ରିମିୟର୍ ଲିଗ୍ରେ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଖେଳାଳୀ ଭାଗ ନେଇ ନାହାନ୍ତି ।
Powered by Froala Editor