ଆଜି ତିନି ରଥରେ ବାହୁଡ଼ିବେ ମହାପ୍ରଭୁ
ପୁରୀ: ବୁଧବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ବଡ଼ଦାଣ୍ଡରେ ଭକ୍ତ ଓ ରଥ ପ୍ରସ୍ତୁତ । ଶରଧାବାଲିରେ ଅପେକ୍ଷାରତ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ । ଠାକୁରେ ରଥାରୂଢହୋଇ ଶ୍ରୀମନ୍ଦିରକୁ ବାହୁଡ଼ିଯିବେ । ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ଘରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ । ଆଜି ଶ୍ରୀବିଗ୍ରହଙ୍କ ପହଣ୍ଡି ସରିବ ସାଢ଼େ ୨ଟାରେ । ଅପରାହ୍ନ ୪ଟାରେ ରଥ ଟଣା ଆରମ୍ଭ ହେବ ବୋଲି ନୀତିନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସମସ୍ତ ସେବାୟତ ନିଯୋଗ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରଥ ଉପରେ ଶୃଙ୍ଖଳା ରକ୍ଷା ପାଇଁ କେତେକ କଟକଣା କରାଯାଇଛି । ସୋମବାର ବିଭିନ୍ନ ନିଯୋଗ କର୍ମକର୍ତ୍ତା ଓ ଶ୍ରୀମନ୍ଦିର ପ୍ରଶାସକଙ୍କବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ହୋଇଥିବା ନିଷ୍ପତ୍ତିକୁ ପାଳନ କରିବାକୁ ସହମତି ପ୍ରକାଶ ପାଇଥିଲା । ବାହୁଡ଼ା ଦିନ ପହଣ୍ଡି ପରେ ରଥ ଉପରେପାଳିଆ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କେହି ରହିବେ ନାହିଁ । କର୍ତ୍ତବ୍ୟରତ ସେବକ ଓ କର୍ମଚାରୀଙ୍କ ସଂଖ୍ୟା ତାଳଧ୍ୱଜ ରଥରେ ୬୦, ଦେବଦଳନ ରଥରେ ୫୦ ଓ ନନ୍ଦିଘୋଷ ରଥରେ ୭୦ ଟପିବନି ବୋଲି ନିଷ୍ପତ୍ତି ହୋଇଛି ।ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବାକୁ ତିନି ରଥରେ ସେବାୟତଙ୍କୁ ମିଶାଇ ମୋଟ୍ ୧୮୦ ଜଣରୁ ଅଧିକ ରହିବେନି । ରଥ ଉପରେ ରହୁଥିବା ପ୍ରାଧିକୃତ ବ୍ୟକ୍ତି ଶ୍ରୀଜିଉଙ୍କ ସମ୍ମୁଖରେ କିମ୍ବା ରଥ ବାଡ଼ ନିକଟରେ ରହି ଠାକୁରଙ୍କୁ ଆଢୁଆଳ କରିବେ ନାହିଁ । ରଥ ଉପରେ କେହି ମୋବାଇଲ୍ ଫୋନ ବ୍ୟବହାର କରିବେ ନାହିଁ । କୌଣସି ଅଣ ସେବକ ରଥ ଉପରେ ବସିବେ ନାହିଁ । ନିଯୋଗ କର୍ମକର୍ତ୍ତାଙ୍କୁ କୁହାଯାଇଛି ସେମାନଙ୍କ ସଦସ୍ୟଙ୍କୁ ନିୟମ ପାଳନ କରିବାକୁ ପ୍ରବର୍ତ୍ତାଇବେ । ଏଥିରେ ଖିଲାପ ହେଲେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି।
Powered by Froala Editor