ବୁଧବାରଠାରୁ କମିବ ବର୍ଷାର ପ୍ରକୋପ

ଭୁବନେଶ୍ୱର: ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବୁଧବାରଠାରୁ ବର୍ଷାର ପ୍ରକୋପ କ୍ରମଶଃ କମିବ । ଅପରପକ୍ଷରେ ଆଉ ଏକ ଆକଳନ ହେଲା, ଜୁଲାଇ ପ୍ରଥମ ସପ୍ତାହରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୩/୪ରୁ ପୁଣି ବର୍ଷା ବଢ଼ିବା ସମ୍ଭାବନା ଅଛି ।
ପାଣିପାଗ ବିଭାଗ ଅନୁସାରେ, ଲଘୁଚାପ ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ପାଖ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଉପରେ ରହିଛି । ଦୁଇଦିନରେ ଏହା ମଧ୍ୟପ୍ରଦେଶ ଆଡ଼କୁ ପଳାଇବ । ସୋମବାର ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଲାଗି ରହିଥିବାବେଳେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ହୋଇଛି ।
ମଙ୍ଗଳବାର ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ଦକ୍ଷିଣର ଅନେକ ଅଂଚଳରେ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି ।
ବୁଧବାର ବର୍ଷା ପ୍ରକୋପ କିଛି ପରିମାଣରେ କମିପାରେ । ଉତ୍ତର ଓଡ଼ିଶାର ଅନେକ ସ୍ଥାନ ଏବଂ ଦକ୍ଷିଣର ଅଳ୍ପ କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୁରୁବାରଠାରୁ ବର୍ଷା ପ୍ରକୋପ କମିବା ସହ ଅଳ୍ପ ସ୍ଥାନରେ ବର୍ଷା ହୋଇପାରେ । ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ୨୪ ଘଣ୍ଟା ପର୍ୟ୍ୟନ୍ତ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି ।
Powered by Froala Editor