ବ୍ରିଟେନରେ ବ୍ୟାପୁଛି ଭାରତରେ ଠାବ ଭୂତାଣୁ
ନୂଆଦିଲ୍ଲୀ : ବ୍ରିଟେନରେ ଗତ ଏପ୍ରିଲ ପରଠାରୁ ପ୍ରଥମ ଥର ପାଇଁ ଦୁଇ ଦିନ ହେଲା ଦୈନିକ ୩୦୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି । ତେବେ ଏହି ନୂଆ ମାମଲାର ପ୍ରାୟ ୭୫ ପ୍ରତିଶତ ଭାରତରେ ପ୍ରଥମେ ଦେଖାଯାଇଥିବା ଭୂତାଣୁ ପ୍ରଜାତିର ବୋଲି କୁହାଯାଉଛି । ବି.୧.୭୧୭.୨ କରୋନା ଭୂତାଣୁ ପ୍ରଜାତି ଭାରତରେ ସଂକ୍ରମଣକୁ ବହୁଗୁଣିତ କରିଛି ଏବଂ ଏହି ପ୍ରଜାତି ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା । ବ୍ରିଟେନରେ ଏବେ ଦେଖାଦେଇଥିବା ନୂଆ କରୋନା ମାମଲାର ସଂଖ୍ୟାଧିକ ଏହି ପ୍ରଜାତି ଯୋଗୁ ବ୍ୟାପିଛି ବୋଲି ବ୍ରିଟେନରେ ରିପୋର୍ଟ ପ୍ରକାଶ ପାଇଛି । ଏପ୍ରିଲ ମଧ୍ୟଭାଗରୁ ପ୍ରଥମ ଥର ପାଇଁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବ୍ରିଟେନରେ ୩୦୦୦ରୁ ଅଧିକ କରୋନା ମାମଲା ଦେଖାଦେଇଛି । ବ୍ରିଟେନରେ ଦେଖାଦେଇଥିବା ନୂଆ ମାମଲାରୁ ୭୫ ପ୍ରତିଶତ ମାମଲା ଚିନ୍ତଜନକ ପ୍ରଜାତିର ବୋଲି କୁହାଯାଇଛି । ଉକ୍ତ ବି.୧.୬୧୭ ପ୍ରଜାତି ବିଶ୍ୱରେ ଅତିକମରେ ୫୩ଟି ଦେଶକୁ ବ୍ୟାପିଛି ବୋଲି କୁହାଯାଇଛି । ଗତବର୍ଷ ଡିସେମ୍ବରରେ ଏହି ପ୍ରଜାତିର ଭୂତାଣୁ ଗତବର୍ଷ ଡିସେମ୍ବରରେ ପ୍ରଥମେ ଦେଖିବାକୁ ମିଳିଥିଲା । ଗତ କିଛିଦିନ ପର୍ଯ୍ୟନ୍ତ ଭାରତରେ ଦୈନିକ ଯେଉଁ ୪ ଲକ୍ଷରୁ ଅଧିକ ମାମଲା ଦେଖିବାକୁ ମିଳୁଥିଲା ତାହା ପଛରେ ଏହି ପ୍ରଜାତିର ଭୂତାଣୁ ରହିଥିବା କୁହାଯାଉଛି । ଆଙ୍ଗଲିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ପଲ ହଣ୍ଟରଙ୍କ କହିବାନୁଯାୟୀ ବି.୧.୬୧୭.୨ ପ୍ରଜାତିର ଭୂତାଣୁ ବି.୧.୬୧୭ ପ୍ରଜାତିରୁ ହିଁ ସୃଷ୍ଟି ହୋଇଛି । ବ୍ରିଟେନରେ ଦେଖାଯାଉଥିବା କରୋନା ମାମଲାରେ ଏହି ଭୂତାଣୁର ମାତ୍ରା ଅଧିକ । ବ୍ରିଟେନରେ କରୋନା ସଂକ୍ରମଣ ପୁଣି ବଢ଼ିବା ଦ୍ୱାରା ସେଠାକାର ଅନଲକ୍ ପ୍ରକ୍ରିୟା ପୁଣି ବାଟବଣା ହେବା ଆଶଙ୍କା ରହିଛି ।
Powered by Froala Editor