ପତଞ୍ଜଳି ବ୍ରାଣ୍ଡ୍ ନାଁରେ ନକଲି ସୋରିଷ ତେଲ ! ଫ୍ୟାକ୍ଟ୍ରି ସିଲ୍ କଲା ପ୍ରଶାସନ

ପତଞ୍ଜଳି ସାମଗ୍ରୀକୁ ନେଇ ମାର୍କେଟରେ ଚାହିଦା ରହିଛି । ଗ୍ରାହକ ଏହାକୁ ବିନା ଅପମିଶ୍ରଣ ଭାବି ଅଧିକ ମାତ୍ରାରେ ଗ୍ରହଣ କରୁଛନ୍ତି । ହେଲେ ପତଞ୍ଜଳି ସୋରିଷ ତେଲରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି । ରାଜସ୍ଥାନର ଅଲୱାରରେ ପତଞ୍ଜଳି ବ୍ରାଣ୍ଡ୍ ନାଁରେ ସୋରିଷ ତେଲ ପ୍ୟାକିଂ କରାଯାଉଥିବାବେଳେ ଏକ ମିଲ୍ ସିଜ୍ ହୋଇଛି ।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଅଲଓ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଖୈରଥଳର ଇସ୍ମାଇଲପୁରରେ ଥିବା ସିଙ୍ଘାନିଆ ତୈଳ ମିଲ୍ରେ ଚଢ଼ାଉ କରାଯାଇଥିଲା । ଏହା ପରେ ମିଲ୍କୁ ସିଲ୍ କରାଯାଇଛି। ଏହା ସହ ଏମଡିଏମ ଯୋଗେଶ ଡାଗୁରଙ୍କ ନେତୃତ୍ବରେ ତଦନ୍ତ କମିଟି ଗୁରୁବାର ସନ୍ଧ୍ୟାରେ ମିଲ୍ରେ ପହଞ୍ଚି ମାମଲାର ଯାଞ୍ଚ କରିଥିବା ଜଣାପଡ଼ିଛି । ଏନେଇ ମିଲ୍ ମାଲିକଙ୍କୁ ପଚରାଯିବାରୁ ସେ କହିଛନ୍ତି, ବାବା ରାମଦେବଙ୍କ ପତଞ୍ଜଳିର ପ୍ୟାକିଂ ପାଇଁ ତାଙ୍କୁ ଅନୁମତି ମିଳିଛି। ଏହା ସହ ପତଞ୍ଜଳି ବ୍ରାଣ୍ଡର ପ୍ୟାକିଂ ପାଇଁ ମିଳିଥିବା ଅନୁମତି ପତ୍ର ସହ ଫ୍ୟାକ୍ଟ୍ରି ଲାଇସେନ୍ସ ପୈଠ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛି।
ଗୁରୁତ୍ୱପୂର୍ଣ୍ଣ କଥା ଯେ, ଫ୍ୟାକ୍ଟି ମାଲିକ କହିଛନ୍ତି ପ୍ରସ୍ତୁତ ହେଉଥିବା ସୋରିଷ ତେଲ ରାମଦେବଙ୍କ କମ୍ପାନୀ ପତଞ୍ଜଳିକୁ ଯାଉଥିଲା। ସେଠାରୁ କମ୍ପାନୀ ଷ୍ଟାମ୍ପ ବାଜି ବଜାରକୁ ଆସୁଥିଲା। ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ସହ ଯୋଗେଶ ଡାଗୁରଙ୍କ ସମେତ ୩ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି । ଗୁରୁବାର ପୁରା ମିଲ୍ର ଭିଡିଓଗ୍ରାଫି ହେବା ସହ ସାମ୍ପଲ୍ ସଂଗ୍ରହ କରିଛି ଜିଲ୍ଲା ପ୍ରଶାସନ ।
Powered by Froala Editor