ବାହାନଗା ରେଳ ଦୁର୍ଘଟଣା:ଏବେ ବି ୮୩ ମୃତଦେହ ପରିଚୟ ଅପେକ୍ଷାରେ
ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଛନ୍ତି ୨୮୮ । ସେଥିରୁ ଚିହ୍ନଟ ହୋଇଛି ୨୦୫ ମୃତଦେହ । ଏବେ ବି ୮୩ ମୃତଦେହ ପରିଚୟ ଅପେକ୍ଷାରେ ଅଛନ୍ତି । ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟକୁ ଆଧାର କରି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି ।
ରେଳ ଦୁର୍ଘଟଣା ମୃତକଙ୍କ ମଧ୍ୟରେ ଏ ପର୍ୟ୍ୟନ୍ତ ଓଡ଼ିଶାର ୩୯ ଜଣ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ଏହି ୩୯ ମୃତକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ବାବଦରେ ମୋଟ ୧ କୋଟି ୯୫ ଲକ୍ଷ ଟଙ୍କା ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି । ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ ଭଦ୍ରକର ୮, ଯାଜପୁରର ୨, ବାଲେଶ୍ୱରର ୧୪, ମୟୁରଭଞ୍ଜର ୯, ଖୋର୍ଦ୍ଧାର ୨, କଟକର ୩ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡ଼ିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଘୋଷଣା କରିଥିଲେ ।
ରେଳ ଦୁର୍ଘଟଣାରେ ସୋମବାର ପର୍ୟ୍ୟନ୍ତ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଜଣାଯାଇଥିଲା । ଏ ସମ୍ପର୍କରେ ଆଜି ଚୂଡ଼ାନ୍ତ ରିପୋର୍ଟ ଆସିଛି । ଜିଲ୍ଲାପାଳ ପୂର୍ଣ୍ଣାଙ୍ଗ ଭାବେ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ସୂଚନାନୁସାରେ ଦୁର୍ଘଟଣାସ୍ଥଳ ରେଳ ଧାରଣାର ଉଭୟ ପାଶ୍ୱର୍ରେ ୨୦୦ ଫୁଟ ପର୍ୟ୍ୟନ୍ତ ଛାନଭିନ୍ କରାଯାଇଥିଲା । ବାଲେଶ୍ୱରରେ ଚିହ୍ନଟ ହୋଇଥିବା ଚିହ୍ନଟ ମୃତଦେହ, ଭୁବନେଶ୍ୱର ପଠାଯାଇଥିବା ମୃତଦେହ ସହ ଭଦ୍ରକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମିଶାଇ ଏବେ ସୁଦ୍ଧା ୨୮୮ଜଣ ରେଳ ଦୁର୍ଘଟଣାରେ ଜୀବନ ହରାଇଛନ୍ତି । ବାଲେଶ୍ୱରରେ ୯୪ଟି ମୃତଦେହ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱର ପଠାଯାଇଥିବା ୧୯୩ ମୃତଦେହ ମଧ୍ୟରୁ ୧୧୦ଟି ଏଯାଏଁ ଚିହ୍ନଟ ହୋଇପାରିଛି । ୨୮୮ ମୃତଦେହ ଭିତରୁ ଏବେ ସୁଦ୍ଧା ୮୩ଜଣଙ୍କର ପରିଚୟ ମିଳିପାରିନି ।
Powered by Froala Editor