ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ପାଇଁ ବାଲେଶ୍ୱରରେ ସିବିଆଇ ଟିମ୍
ଭୁବନେଶ୍ୱର: ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇ ଟିମ୍ ବାଲେଶ୍ୱରରେ ପହଞ୍ଚିଛନ୍ତି । ସିବିଆଇ ଟିମ୍ ବାହାନଗାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ଲାଗି ଦୁର୍ଘଟଣାସ୍ଥଳକୁ ଯାଇ ଖୋଳତାଡ଼ ଆରମ୍ଭ କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଏହି ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିଥିଲା । ଏହି ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର କିମ୍ବା ଅନ୍ୟ କେଉଁ କାରଣ ରହିଛି ଯାଞ୍ଚ କରିଥିଲେ ସିବିଆଇ ଅଧିକାରୀ । ରେଳ ଦୁର୍ଘଟଣାକୁ ନେଇ ପୂର୍ବରୁ ନିଜ ପକ୍ଷରୁ ବାଲେଶ୍ୱର ଜିଆରପି ଥାନାରେ ମାମଲା ରୁଜୁ କରାଯାଇଥିଲା । ଜିଆରପି ଠାରୁ ତଦନ୍ତ ଭାର ନେଇଥିଲା ସିବିଆଇ ଟିମ୍ । ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିଛି । ରେଳ ମନ୍ତ୍ରାଳୟ ଆବେଦନରେ ତଦନ୍ତ ପାଇଁ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେବା ପରେ ସିବିଆଇ ଟିମ୍ ତଦନ୍ତ ଭାର ହାତକୁ ନେଇଛି । ଏଣେ ଗତକାଲି ବାହାନଗା ବଜାର ରେଳ ଷ୍ଟେସନରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଯେଉଁ କର୍ମଚାରୀଙ୍କ କାର୍ଯ୍ୟ ସନ୍ଦେହ ଘେରରେ ଅଛି ସେମାନଙ୍କୁ କମିସନ୍ ଅଫ୍ ରେଲ୍ ସେଫ୍ଟି (ସିଆର୍ଏସ୍)ର ତଦନ୍ତ ପରିସରଭୁକ୍ତ କରାଯାଇଛି । ଏଥିରେ ବାଲେଶ୍ୱର ରେଳ ଷ୍ଟେସନରୁ ବାହାନଗା ବଜାର ରେଳ ଷ୍ଟେସନ ପର୍ଯ୍ୟନ୍ତ ରେଳ ଲାଇନ୍ ମରାମତି ଦାୟିତ୍ୱରେ ଥିବା ସଂସ୍ଥାର ସୁପରଭାଇଜରଙ୍କ ଠାରୁ ଆରମ୍ଭ କରି ସିଗନାଲ୍ ଇଞ୍ଜିନିୟର, ଷ୍ଟେସନ ମାଷ୍ଟର, ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରଙ୍କ ସମେତ ପ୍ରାୟ ୧୦ରୁ ଅଧିକ କର୍ମଚାରୀଙ୍କୁ ଖଡଗପୁରସ୍ଥିତ ଡିଭିଜନ କାର୍ଯ୍ୟାଳୟରେ ଜଣ ଜଣ କରି ଜେରା କରାଯାଉଛି ।
Powered by Froala Editor