ଟ୍ରେନ୍ ଦୁର୍ଘଟଣା ସହାୟତା ପାଇଁ ହୀନ ନାଟକ ରଚିଲେ ମହିଳା, ସ୍ୱାମୀକୁ ମୃତ କହି ଥାନାରେ କାନ୍ଦିଲେ
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଶହ ଶହ ଲୋକଙ୍କ ଜୀବନ ନେଇଛି । ଘର ସଂସାର ଉଜାଡି ଦେଇଛି । ଲୋକେ ଆତ୍ମୀୟଙ୍କୁ ହରାଇ ଭୋ ଭୋ କାନ୍ଦୁଛନ୍ତି । ଏଭଳି ସମୟରେ ବହୁ କମ୍ପାନୀ ସହ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ହେଲେ କିଛି ହୀନ ଚରିତ୍ର ଲୋକ ବି ଏଭଳି ଦୁଃଖଦ ସ୍ଥିତିର ଫାଇଦା ଉଠାଇବାକୁ ପଛାଉନାହାନ୍ତି । ଜଣେ ୬୨ ବର୍ଷୀୟ ମହିଳା ସ୍ୱାମୀ ମରିଥିବା କହି ସହାୟତା ରାଶି ହଡପ କରିବାକୁ ହୀନ ଚକ୍ରାନ୍ତ କରିଥିଲେ । ହେଲେ ପୁଲିସ ସନ୍ଦେହ କରି ମହିଳାଙ୍କ ଚକ୍ରାନ୍ତଙ୍କୁ ଭଣ୍ଡୁର କରିଦେଇଛି ।
ଏ ମହିଳାଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଥାନା ଅଧୀନ ମାଇଆବନ୍ଧ ଅଞ୍ଚଳର। ନାଁ ଗୀତାଞ୍ଜଳି ଦତ୍ତ। ୧୦ଲକ୍ଷର ସରକାରୀ ସହାୟତା ରାଶି ଲୁଟିବାକୁ ମିଛ ବାହାନା କରୁଥିଲେ। ଜୀବିତ ସ୍ବାମୀ ବିଜୟ ଦତ୍ତଙ୍କୁ ମୃତ ଦର୍ଶାଇ ଟଙ୍କା ନେବାକୁ ଆସିଥିଲେ। ପୁଲିସ ଆଗରେ କାନ୍ଦିଲେ। ସାଙ୍ଗରେ ବାଲେଶ୍ବର ନୋସି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଆଣି ଫର୍ଜି ଆଧାର କାର୍ଡ ବି ଦେଖାଇଲେ। ହେଲେ ପୁଲିସ, ସନ୍ଦେହ କଲା। ଗୀତାଞ୍ଜଳୀ ଦେଖାଇଥିବା ବ୍ୟକ୍ତିଙ୍କ ଆଧାର କାର୍ଡରେ ମୃତକଙ୍କ ବୟସ ୪୦ ବର୍ଷ ରହିଥିଲା। ହେଲେ ଗୀତାଞ୍ଜଳିଙ୍କୁ ବୟସ ୬୨। ପୁଲିସ ତର୍ଜମା କଲା ମିଛେଇ ମହିଳାଙ୍କ ମିଛ ଧରାପଡିଗଲା।
ଏ ଘଟଣା ଜଣାପଡିବା ପରେ ସବୁଠି ତାଙ୍କୁ ନିନ୍ଦା କରାଯାଉଛି । ସେ ପୁଲିସ ଷ୍ଟେସନରୁ ମୁହଁ ଲୁଚାଇ ପଳାଉଥିବାବେଳେ କେତେକ ଲୋକ ତାଙ୍କୁ ଟାହିଟାପରା କରିଛନ୍ତି । ଏଭଳି ହୀନ ଚକ୍ରାନ୍ତ କରିବାକୁ କେମିତି ଖରାପ ଲାଗିଲାନି ବୋଲି ପ୍ରଶ୍ନ କରିଥିଲେ ।
Powered by Froala Editor