ଜଣେ ବାପାର ବିଶ୍ୱାସ ଜିତିଲା... ଶବ ଗଦାରୁ ଜୀବନ୍ତ ଉଠିଲା ପୁଅ
କରମଣ୍ଡଳ ଆଣିଥିଲା କଳା କିଟ୍କିଟ୍ ରାତି । ସବୁଠି ଶୁଭୁଥିଲା ଯନ୍ତ୍ରଣାର ଚିତ୍କାର । ରାତି ପାହିଲା ବେଳକୁ ଗଦା ହୋଇସାରିଥିଲା ଶବର ପାହାଡ । ହେଲେ ଜଣେ ବାପାର ମନ ମାନିଲାନି । ଶବ ଭିତରେ ଖୋଜି ବୁଲିଲା ପୁଅ ପାଇଁ । ‘ମୋ ପୁଅ ମୋତେ ଛାଡି ଯାଇପାରିବନି । ଆଖିରେ ଲୁହ, ଛାତିରେ ଛାତିଏ କୋହ ଧରି ଘୂରି ବୁଲୁଥିଲେ । ଶେଷରେ ଶବ ଧାଡ଼ିରେ ପୁଅକୁ ଜୀବନ୍ତ ଖୋଜି ପାଇଛନ୍ତି ।
ଶୁକ୍ରବାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସରେ ରହିଥିଲେ ପଶ୍ଚିମବଙ୍ଗର ୨୪ ବର୍ଷୀୟ ବିଶ୍ୱଜିତ ମଲିକ। ତାଙ୍କ ବାପା ହେଲାରାମ ହାୱାଡାରେ ଗୋଟିଏ ଦୋକାନର ମାଲିକ। ସେ ଶୁକ୍ରବାର ଶାଲିମାର ଷ୍ଟେସନରେ ନିଜେ ପୁଅ ବିଶ୍ୱଜିତଙ୍କୁ କରମଣ୍ଡଳ ଟ୍ରେନରେ ବସାଇଥିଲେ। ତେବେ ଏହାର କିଛି ଘଣ୍ଟା ପରେ ତାଙ୍କ ପାଖରେ କରମଣ୍ଡଳ ଏକ୍ସପ୍ରେସ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଖବର ପହଞ୍ଚି ଥିଲା।
ସେ ପୁଅ ବିଶ୍ୱଜିତଙ୍କୁ ଫୋନ କରିଥିଲେ। ଏକାଧିକ ରିଙ୍ଗ ପରେ ଜଣେ କେହି ଏହାକୁ ଉଠାଇଥିଲେ ଓ ବିଶ୍ୱଜିତ ଜୀବିତ ଥିଲେ ହେଁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ବୋଲି ସୂଚନା ଦେଇଥିଲେ। ଏହା ଶୁଣିବା ପରେ ସେ ଆଉ ବିଳମ୍ବ କରି ନଥିଲେ। ଦୁର୍ଘଟଣା ସ୍ଥଳ ଠାରୁ ଆରମ୍ଭ କରି ବିଭିନ୍ନ ହସ୍ପିଟାଲରେ ଖୋଜା ଖୋଜି କରିଥିଲେ ହେଁ ବିଶ୍ୱଜିତଙ୍କୁ ପାଇ ନଥିଲେ।
ବିଭିନ୍ନ ଲୋକ ଓ ଅଧିକାରୀମାନଙ୍କ ଠାରୁ ବିଶ୍ୱଜିତଙ୍କ ସମ୍ପର୍କରେ ତଥ୍ୟ ମାଗିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି କହିଥିଲେ ଯେ ଯଦି ହସ୍ପିଟାଲରେ କେହି ମିଳୁ ନାହାନ୍ତି, ତା’ହେଲେ ବାହାନଗା ହାଇସ୍କୁଲକୁ ଯାଆନ୍ତୁ। ସେଠାରେ ଶହଶହ ଲୋକଙ୍କ ମୃତଦେହକୁ ରଖାଯାଇଛି। ବିଶ୍ୱଜିତ ସେଠାରେ ନଥିବେ ବୋଲି ହେଲାରାମ ଆଶା କରୁଥିଲେ। ତଥାପି ସେ ଶବାଗାରରେ ପହଞ୍ଚି ଥିଲେ।
କିନ୍ତୁ ସେଠାରେ ସମସ୍ତଙ୍କୁ ଶବ ଦେଖିବା ପାଇଁ ଛଡ଼ା ଯାଉନଥିଲା । ଟିକିଏ ପରେ ସେଠାରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କ ହାତ ଥରୁଥିବା କେହି ଦେଖିବା ପରେ ଚହଳ ପଡ଼ିଗଲା । ଆଉ ସେହି ହାତ ବିଶ୍ୱଜିତ୍ଙ୍କର ବୋଲି ତାଙ୍କ ବାପା ଚିହ୍ନି ପାରିଥିଲେ ।
ବିଶ୍ୱଜିତ୍ ସତେ ଯେପରି ବାପାଙ୍କ ରାସ୍ତାକୁ ଅପେକ୍ଷା କରିଥିଲା । ଭଗବାନଙ୍କ ଠାରୁ ବଳି ଚଳନ୍ତି ଠାକୁର ବାପା ଆସି ତାକୁ ରକ୍ଷା କରିବେ ବୋଲି ସେ ଯେପରି ଜାଣିଥିଲେ । ଆଉ ବିଶ୍ୱଜିତ୍କୁ ପରିବାର ଲୋକ ଚିହ୍ନିବା ପରେ ହିଁ ସେ ଅଚେତ ହୋଇ ଯାଇଥିଲେ ।
ତୁରନ୍ତ ତାକୁ ଆମ୍ବୁଲାନ୍ସ୍ରେ ବାଲେଶ୍ୱର ହସ୍ପିଟାଲ ନେଇଯାଇଥିଲେ ହେଲାରାମ । ସେଠାରେ ତାକୁ କିଛି ଇଞ୍ଜେକ୍ସନ୍ ଦେବାପରେ କଟକ ବଡ଼ ମେଡିକାଲ୍କୁ ରେଫର୍ କରିଥିଲେ ଡାକ୍ତର । କିନ୍ତୁ ପୁଅକୁ ଅନ୍ୟ ରାଜ୍ୟରେ ଛାଡ଼ି ଯିବାପାଇଁ ଠିକ୍ ମନେ କରିନଥିଲେ ବାପା । ବାଲେଶ୍ୱର ଡାକ୍ତରଖାନାରୁ ଡିସ୍ଚାର୍ଜ କରାଇ ଅଚେତ ହୋଇପଡ଼ିଥିବା ବିଶ୍ୱଜିତକୁ ଆମ୍ବୁଲାନ୍ସ୍ରେ ନେଇ କୋଲ୍କାତା ଫେରି ଯାଇଥିଲେ ।
Powered by Froala Editor