ସବୁ ଜିଲ୍ଲାରେ ଖୋଲିବ 'କାଳିଆ' ସେଣ୍ଟର

ପ୍ରତି ଜିଲ୍ଲାରେ ହେବ 'କାଳିଆ' ସେଣ୍ଟର । ରାଜ୍ୟ ସରକାରଙ୍କ ଦ୍ୱାରା କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ କାଳିଆ ସମେତ ପ୍ରମୁଖ ଯୋଜନାର ସଫଳ ରୂପାୟନ ଦିଗରେ ଚାଷୀମାନଙ୍କ ପାଇଁ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ କାଳିଆ ସେଣ୍ଟର ପ୍ରତିଷ୍ଠା କରାଯିବ । କାଳିଆ ସେଂଟର ପ୍ରତ୍ୟେକ ସରକାରୀ କାର୍ଯ୍ୟଦିବସରେ ସକାଳ ୧୦ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ।
ଏହା ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସମେତ କୃଷି କ୍ଷେତ୍ରରେ ନୂଆ ସୁଯୋଗ ପ୍ରଦାନ ଦିଗରେ ଚାଷୀମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ୱାନ ଷ୍ଟପ ସେଂଟର ଭାବେ କାର୍ଯ୍ୟ କରିବ । ଏହି କେନ୍ଦ୍ର ମାଧ୍ୟମରେ ‘କାଳିଆ’ ସମେତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ‘ଗୋ-ସୁଗମ’, ସଫଲ, କୃଷକ ଓଡ଼ିଶା ଆଦିର କାର୍ଯ୍ୟକାରିତା ଦିଗରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ।
ପ୍ରତି କେନ୍ଦ୍ରରେ ଆବଶ୍ୟକ ମୁତାବକ ବୈଷୟିକ ଦକ୍ଷତାସମ୍ପନ୍ନ କର୍ମଚାରୀ ନିୟୋଜିତ ହେବେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିତିଦିନିଆ କାର୍ଯ୍ୟର ତଦାରଖ ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯିବ । ଏହି କାଳିଆ ସେଂଟରକୁ ଆସୁଥିବା ଚାଷୀମାନଙ୍କ ସମସ୍ୟା ଓ ଏ ଦିଗରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଓ ପରାମର୍ଶକୁ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ରେକର୍ଡ କରାଯିବ । ‘କାଳିଆ ସେଂଟର’ ଚାଷୀଙ୍କ ନିମନ୍ତେ ସବୁ କୃଷିଭିତ୍ତିକ ଯୋଜନା ପାଇଁ କାର୍ଯ୍ୟ କରିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।
Powered by Froala Editor