କ୍ୟାବିନେଟ ବୈଠକ:୧୮ଟି ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ୱର: ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଆଜି ବିଜେଡି ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରା ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆଜି କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୋଟ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି।
ତେବେ କ୍ୟାବିନେଟ୍ ବୈଠକରେ ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ମିଳିଛି ସ୍ୱୀକୃତି ।‘ମୋ ଘର’ ହେଉଛି ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ସହାୟତା ଯୋଜନା । ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘରକୁ ନେଇ ବିଜେଡି-ବିଜେପି ମଧ୍ୟରେ ସବୁବେଳେ ବିବାଦ ଲାଗି ରହୁଥିବାରୁ ଅନେକ ଲୋକ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ସେଭଳି ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ୟ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି । ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି ।
ଏହି ସହିତ ଭିତ୍ତିଭୂମି ବିକାଶ, ପାନୀୟ ଜଳ, ସହରାଞ୍ଚଳ ବିକାଶ,ମିଶନ ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଉଚ୍ଚଶିକ୍ଷା, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ବିଭାଗ ସମେତ ଆଉ କିଛି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଥିବା ଜଣାପଡିଛି।
Powered by Froala Editor