ଲୋକାର୍ପିତ ହେଲା ନୂଆ ସଂସଦ ଭବନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନକୁ ଲୋକାର୍ପିତ କରିବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ନୂଆ ସଂସଦ ଭବନ ପରିସରରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପୂଜାରେ ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ଓମ୍ ବିର୍ଲା ବସିଥିଲେ। ପୂଜା ପରେ ପ୍ରଧାନମନ୍ତ୍ରୀଙ୍କୁ ‘ସେଙ୍ଗୋଲ ’ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ‘ସେଙ୍ଗୋଲ’କୁ ଧରି ଉପସ୍ଥିତ ପୂଜକ ଓ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଥିଲେ। ପରେ ସେ ‘ସେଙ୍ଗୋଲ’କୁ ନେଇ ଲୋକସଭା ବାଚସ୍ପତିଙ୍କ ଚୌକି ପାଖରେ ସ୍ଥାପିତ କରିଥିଲେ।
‘ସେଙ୍ଗୋଲ’କୁ ସ୍ଥାପିତ କରିବା ପରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଲୋକାର୍ପିତ କରିଥିଲେ। ନୂଆ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କାର୍ୟ୍ୟରେ ନିୟୋଜିତ କିଛି ଶ୍ରମିକଙ୍କୁ ସମ୍ମାନିତ କରିଥିଲେ। ସମ୍ମାନିତ ହୋଇଥିବା ଏହି ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଚାନ୍ଦିପୁରର ପୁରଞ୍ଜନ ଦଳାଇ ମଧ୍ୟ ଥିଲେ। ପୁରଞ୍ଜନ ନୂଆ ସଂସଦ ଭବନ ନିର୍ମାଣ ବେଳେ ଚା’ ଓ ପାଣିର ବ୍ୟବସ୍ଥା କରିଥିଲେ।ଶ୍ରମିକମାନଙ୍କୁ ସମ୍ମାନିତ କରାଯିବା ପରେ ଏକ ସର୍ବଧର୍ମ ପ୍ରାର୍ଥନା କାର୍ୟ୍ୟକ୍ରମ ଅନୁଷ୍ଠତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏଥିରେ ଉପସ୍ଥିତ ରହିଥିଲେ।ସକାଳେ ଅନୁଷ୍ଠିତ ଏହି ସବୁ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।
Powered by Froala Editor