କର୍ଣ୍ଣାଟକରେ ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ
କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ ପରେ ଏକ ଖୁସି ଖବର ଆସିଛି । ସରକାର ପୁଣି ଥରେ ଇନ୍ଦିରା କ୍ୟାଣ୍ଟିନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଇନ୍ଦିରା କ୍ୟାଣ୍ଟିନ ଗରିବ ଏବଂ ଆର୍ଥିକ ସ୍ଵଛଳ ନଥିବା ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇଥାଏ। କ୍ୟାଣ୍ଟିନର ମେନୁରେ ଜଳଖିଆର ଦାମ କେବଳ ପାଞ୍ଚ ଟଙ୍କା ହୋଇଥିବାବେଳେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇଁ କେବଳ ୧୦ ଟଙ୍କା ଦେବାକୁ ପଡିବ ।
ନିର୍ବାଚନରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବନ୍ଦ ହୋଇପଡିଥିବା ଇନ୍ଦିରା କ୍ୟାଣ୍ଟିନକୁ ପୁଣି ଆରମ୍ଭ କରାଯିବ । ରାଜ୍ୟରେ ପୂର୍ବ କଂଗ୍ରେସ ସରକାର ସମୟରେ ଏହି କ୍ୟାଣ୍ଟିନ ଆରମ୍ଭ ହୋଇଥିଲା, କିନ୍ତୁ ବିଜେପି ପୁନର୍ବାର କ୍ଷମତାକୁ ଆସିବା ପରେ କ୍ୟାଣ୍ଟିନ ବନ୍ଦ ହୋଇଯାଇଥିଲା। କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଦଳ କ୍ଷମତାକୁ ଆସିବା ପରେ କ୍ୟାଣ୍ଟିନଗୁଡ଼ିକୁ ପୁଣି ଚଲାଇବାକୁ କଂଗ୍ରେସ ପ୍ରତିଶୃତି ଦେଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଚାର କରିବାକୁ ଯାଇଥିବା ବେଳେ ପୁଣି ଇନ୍ଦିରା କ୍ୟାଣ୍ଟିନ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ। ତେଣୁ କଂଗ୍ରେସର ବିଜୟ ପରେ ଏହି କ୍ୟାଣ୍ଟିନ ଖୋଲିବ ବୋଲି ଘୋଷଣା କରାଯାଇଛି ।
Powered by Froala Editor