ବିବାଦୀୟ ଡକ୍ୟୁମେଣ୍ଟାରୀ ପାଇଁ ବିବିସିକୁ ହାଇକୋର୍ଟଙ୍କ ସମନ
ବିବାଦୀୟ ଡକ୍ୟୁମେଣ୍ଟାରି ମାମଲାରେ ଦିଲ୍ଲୀ ହାଇକୋର୍ଟ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)କୁ ସମନ ଜାରି କରିଛନ୍ତି । ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାରେ କୁହାଯାଇଛି, ଏହି ଡକ୍ୟୁମେଣ୍ଟାରୀ ଦ୍ୱାରା କେବଳ ପ୍ରଧାନମନ୍ତ୍ରୀ ନୁହେଁ ନ୍ୟାୟପାଳିକା ଏବଂ ସମଗ୍ର ଦେଶର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି। ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତି ଖରାପ କରିଥିବା ଅଭିଯୋଗ କରି ଗୁଜରାଟର ଏକ ଏନଜିଓ ଏକ ମାନହାନୀ ମାମଲା ରୁଜ୍ଜୁ କରିଥିଲା । ଏହାର ବିଚାର କରି କୋର୍ଟ ବିବିସିକୁ ସମନ ଜାରି କରିଛନ୍ତି ।
ବରିଷ୍ଠ ଓକିଲ ହରିଶ ସାଲଓ୍ବେ ସଂଗଠନ ପକ୍ଷରୁ ହାଜର ହୋଇଥିଲେ। ସେ କହିଛନ୍ତି, ଡକ୍ୟୁମେଣ୍ଟାରୀ ଭାରତ ଏବଂ ନ୍ୟାୟପାଳିକା ସମେତ ସମଗ୍ର ସିଷ୍ଟମକୁ ବଦନାମ କରିଛି। ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସଚିନ ଦତ୍ତ ଗୁଜରାଟର ଏକ ଏନଜିଓ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ଏହି ସମନ ଜାରି କରିଛନ୍ତି। ତେବେ ସେପ୍ଟେମ୍ବରରେ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି।
ବିବିସିର ଏହି ବିବାଦୀୟ ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ । ଏଥିରେ ଦଙ୍ଗା ପାଇଁ ମୋଦୀଙ୍କୁ ଦାୟୀ କରାଯାଇଛି ।
Powered by Froala Editor